ମହିଳା ଆଇପିଏଲ୍‌ ପାଇଁ ନିଲାମୀ ଆରମ୍ଭ: ଜାଣନ୍ତୁ କିଏ କେତେରେ ହେଲେ ବିକ୍ରି

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେବାକୁ ଥିବା ମହିଳା ଆଇପିଏଲ୍‌ ପାଇଁ ନିଲାମୀ ଆରମ୍ଭ ହୋଇଯାଇଛି। ଆଇପିଏଲ ପାଇଁ ୫ ଟିମ ମଧ୍ୟରେ ୪୪୮ ଖେଳାଳିଙ୍କ ନିଲାମ ଡାକିଛି। ଏଥିରେ ୨୭୦ ଜଣ ଭାରତୀୟ ଖେଳାଳି ରହିଛନ୍ତି। ୫ ଟିମ୍ ମଧ୍ୟରେ ମୁମ୍ବାଇ, ଲକ୍ଷ୍ନୌ, ବେଙ୍ଗାଲୁରୁ, ଅହମ୍ମଦାବାଦ ଏବଂ ଦିଲ୍ଲୀ ଟିମ୍ ସାମିଲ ରହିଛି। ୪ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୫୦ ଲକ୍ଷର ବେସ ପ୍ରାଇସ ଥିବା ସ୍ଲଟରେ ୨୪ ଏବଂ ୪୦ ଲକ୍ଷର ସ୍ଲଟରେ ୩୦ ଖେଳାଳି ସାମିଲ ରହିଛନ୍ତି। ଆଜିର ନିଲାମୀରେ ପ୍ରଥମ ଖେଳାଳି ଭାବେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଧାନାଙ୍କୁ ୩.୪୦ କୋଟି ଟଙ୍କାରେ କିଣିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।

ସେହିପରି ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌରଙ୍କୁ ୧ କୋଟି ୮୦ ଲକ୍ଷ ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଛି । ଅଷ୍ଟ୍ରେଲିଆର ଏଲିସେ ପେରିଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧.୭ କୋଟି ଟଙ୍କାରେ କିଣିଛି । ସେହିପରି ଅଷ୍ଟ୍ରେଲିଆର ଆଶ ଗାର୍ଡେନରଙ୍କୁ ୩.୨ କୋଟି ଟଙ୍କାରେ ଗୁଜରାଟ ଜିଆଣ୍ଟସ, ଇଂଲଣ୍ଡର ସୋଫିଆ ଏସ୍କେଲଷ୍ଟୋନଙ୍କୁ ୧.୮ କୋଟି ଟଙ୍କାରେ ୟୁପି ୱାରିଅରଜ୍ ଓ ନ୍ୟୁଜିଲ୍ୟାଣ୍ଡର ସୋଫିଆ ଡେଭାଇନଙ୍କୁ ୫୦ ଲକ୍ଷ ଟଙ୍କାରେ ଆରସିବି କିଣିଛି।

ଅନ୍ୟପଟେ ଭାରତର ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କୁ ୟୁପି ୨.୬ କୋଟି ଟଙ୍କାରେ କିଣିଛି। ୧.୫ କୋଟି ଟଙ୍କାରେ ଦ୍ରୁତ ବୋଲର ରେଣୁକା ସିଂହ ଠାକୁରଙ୍କୁ ଆରସିବି କିଣିଛି । ସେହିପରି ରିଚା ଘୋଷଙ୍କୁ ବାଙ୍ଗାଲୋର ୧.୯ କୋଟିରେ, ୟସ୍ତିକା ଭାଟିଆଙ୍କୁ ମୁମ୍ବାଇ ୧.୫ କୋଟିରେ, ହରଲିନ ଦେଓ୍ଵଲଙ୍କୁ ଗୁଜରାଟ ୪୦ ଲକ୍ଷରେ କିଣିନେଇଛି ।

ସେହିଭଳି ଇଂଲଣ୍ଡର ନେଟଲି ସିବର ବ୍ରଣ୍ଟଙ୍କୁ ମୁମ୍ବାଇ ୩.୨୦ କୋଟି ଟଙ୍କାରେ କିଣିଛି। ଅଷ୍ଟ୍ରେଲିଆର ତାହିଲିୟା ମ୍ୟାକଗ୍ରାଙ୍କୁ ୟୁପି ୪୦ ଲକ୍ଷ ଟଙ୍କାରେ କିଣିଛି। ଅଷ୍ଟ୍ରେଲିଆର ବେଥ୍ ମୁନିଙ୍କୁ ଗୁଜୁରାଟ ୨ କୋଟି ଟଙ୍କାରେ କିଣିଥିବା ଜଣାଯାଇଛି।

Leave A Reply

Your email address will not be published.