ଷ୍ଟିଙ୍ଗ ଅପରେସନରେ ଫସିଲେ ବିସିସିଆଇର ଚୟନ କମିଟି ମୁଖ୍ୟ ଚେତନ ଶର୍ମା, କହିଲେ- ପେନ୍ କିଲର୍ ନିଅନ୍ତି ଖେଳାଳି

ନୂଆଦିଲ୍ଲୀ: ଷ୍ଟିଙ୍ଗ୍ ଅପରେସନ୍ ବେଳେ ବିସିସିଆଇର ଚୟନ କମିଟି ମୁଖ୍ୟ ଚେତନ ଶର୍ମାଙ୍କ ବଡ଼ ଖୁଲାସା। ଟିମ୍‌ ଇଣ୍ଡିଆର ଖେଳାଳି ନିଜକୁ ଫିଟ୍‌ ରଖିବା ପାଇଁ ଯନ୍ତ୍ରଣା ଉପଶମ ଇଞ୍ଜେକ୍ସନ ବା ପେନ୍ କିଲର୍ ନିଅନ୍ତି। ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ କରାଯାଇଥିବା ଷ୍ଟିଙ୍ଗ ଅପରେସନ୍ ବେଳେ ଏପରି କିଛି ବିସ୍ଫୋରକ ବୟାନ ଦେଇଛନ୍ତି ଚେତନ ଶର୍ମା।

ଚେତନଙ୍କ କହିବାନୁସାରେ, ଖେଳାଳି ଚୟନ ପୂର୍ବରୁ ୮୦-୮୫ ପ୍ରତିଶତ ଫିଟ୍ ଥିଲେ ବି କ୍ରିକେଟରମାନେ ଇଞ୍ଜେକସନ୍ ନେଇଥାନ୍ତି। ଷ୍ଟାର ଖେଳାଳିମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ ବି ଏନସିଏ ସେମାନଙ୍କୁ ଗ୍ରୀନ୍ ସିଗନାଲ୍ ଦେଇଥାଏ । ଏହାପରେ ଚୂଡ଼ାନ୍ତ ନିଷ୍ପତ୍ତି ଚୟନକର୍ତ୍ତାଙ୍କ ଉପରେ ଛାଡ଼ି ଦିଆଯାଇଥାଏ ବୋଲି ସେ କହିଛନ୍ତି। ସବୁ ଖେଳାଳି ବ୍ୟକ୍ତିଗତ ଡାକ୍ତର ରଖିଛନ୍ତି। ଖେଳାଳିମାନେ ଆହତ ହେଲେ ସେମାନଙ୍କ ଡାକ୍ତର ତାଙ୍କୁ ଫିଟ୍ କରାଇବା ପାଇଁ ଇଞ୍ଜେକ୍ସନ୍ ଦିଅନ୍ତି ବୋଲି ଚେତନ କହିଛନ୍ତି।

ଏହି ଷ୍ଟିଙ୍ଗ ଅପରେସନ୍ ବେଳେ ଚେତନ ପୂର୍ବତନ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉପରେ ବି ମତ ରଖିଛନ୍ତି । ଚେତନ କହିଛନ୍ତି, ୨୦୨୧ ଟି- ୨୦ ବିଶ୍ୱକପ୍ ପୂର୍ବରୁ କୋହଲି ଦଳର ନେତୃତ୍ୱ ଛାଡିବା ପାଇଁ ଚାହିଁଥିଲେ। ଏବେ ବି ଦଳ କୋହଲିଙ୍କ କଥାରେ ଚାଲୁଛି । ରୋହିତ ଅଧିନାୟକ ଥିବା ସତ୍ତ୍ୱେ ସବୁ ନିଷ୍ପତ୍ତି କୋହଲି ନେଉଥିବା କହିଛନ୍ତି ଚେତନ ଶର୍ମା । ରୋହିତ ଓ କୋହଲିଙ୍କ ଭିତରେ କୌଣସି ବିବାଦ ନାହିଁ। କିନ୍ତୁ ପରସ୍ପର ପ୍ରତି ଈର୍ଷା ଓ ଅସୂୟାଭାବ ରହିଛି ବୋଲି ସେ କହିଛନ୍ତି।

ଅନ୍ୟପଟେ ଚେତନ ଶର୍ମାଙ୍କ ଷ୍ଟିଙ୍ଗ ଅପରେସନର ଖୁଲାସା ହେବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଖବର ପ୍ରସାରିତ ହେବା ପରେ କ୍ରିକେଟ ଦୁନିଆରେ ଆଲୋଡ଼ନ ଖେଳିଯାଇଛି। ଏବେ ଭାରତୀୟ କ୍ରିକେଟ ବୋର୍ଡ କାଠଗଡ଼ାକୁ ଟଣା ହୋଇଛି ।

Leave A Reply

Your email address will not be published.