ବିବିସି ଅଫିସରେ ଆୟକର ଚଢ଼ଉ ପରେ ଜୋର ଧରିଛି ରାଜନୀତି: ଆରୋପ ପ୍ରତ୍ୟାରୋପ କରୁଛନ୍ତି ବିରୋଧୀ-ବିଜେପି

ନୂଆଦିଲ୍ଲୀ: ବିବିସିର ଦିଲ୍ଲୀ ଏବଂ ମୁମ୍ବାଇ ଅଫିସରେ ଆୟକର ଚଢ଼ଉ ପରେ ଏବେ ରାଜନୀତି ଜୋର ଧରିଛି। ଏହି ଚଢ଼ଉ ନେଇ ଆଜି ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି।

କଂଗ୍ରେସ କହିଛି, ଆଇଟିର ଏହି କାର୍ଯ୍ୟାନୁଷ୍ଠାନ ‘ଅଘୋଷିତ ଏମର୍ଜେନ୍ସି’ ଭଳି ଲାଗୁଛି। କଂଗ୍ରେସ ସାଧାରଣ ସଂପାଦକ ଜୟରାମ ରମେଶ ଏକ ଟ୍ବିଟ୍‌ କରି କହିଛନ୍ତି, ଆଦାନି ପ୍ରସଙ୍ଗରେ ଆମେ ଜେପିସି ତଦନ୍ତ ଦାବି କରୁଛୁ କିନ୍ତୁ ସରକାର ବିବିସି ପଛରେ ପଡ଼ିଛନ୍ତି।

ଅନ୍ୟପଟେ ସିପିଏମ୍‌ ସାଧାରଣ ସଂପାଦକ ସୀତାରାମ ୟେଚୁରୀ କହିଛନ୍ତି, ପ୍ରଥମେ ବିବିସିର ଡକୁମେଣ୍ଟାରିକୁ ବ୍ୟାନ କରାଗଲା। ଆଦାନି ପ୍ରସଙ୍ଗରେ ଜେପିସି ତଦନ୍ତ ହେଲା ନାହିଁ। ଆଉ ଏବେ ପୁଣି ବିବିସି ଅଫିସରେ ଆଇଟି ଚଢ଼ଉ ହେଉଛି।

ସେହିପରି କେସି ବେଣୁଗୋପାଳ ଏହି କାର୍ଯ୍ୟାନୁଷ୍ଠାନକୁ କଡ଼ା ନିନ୍ଦା କରି କହିଛନ୍ତି, ଏହା ହତାଶାର ସଙ୍କେତ ଏବଂ ମୋଦି ସରକାର ସମାଲୋଚନାକୁ ଭୟ କରୁଛନ୍ତି ବୋଲି ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି।

ତେବେ ସମସ୍ତ ବିରୋଧୀଙ୍କୁ ବିଜେପି କଡ଼ା ଜବାବ ଦେଇ କହିଛି, ବି‌ବିସି ‌‌ହେଉଛି ବିଶ୍ବରେ ସବୁଠାରୁ ଦୁର୍ନୀତିଗ୍ରସ୍ତ ସଂସ୍ଥା। ଏହାର ପ୍ରଚାର ଷଡ଼ଯନ୍ତ୍ର ଏବଂ କଂଗ୍ରେସର ଏଜେଣ୍ଡା ଏକାଠି କାମ କରୁଛି। ଏନେଇ କଂଗ୍ରେସର ସମାଲୋଚନାକୁ ବିଜେପି ଜାତୀୟ ମୁ୍‌ଖପାତ୍ର ଗୌରବ ଭାଟିଆ ପ୍ରତ୍ୟାଖ୍ୟାନ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଭାଟିଆ କହିଛନ୍ତି, ସରକାରୀ ସଂସ୍ଥାକୁ ଏହାର କାର୍ଯ୍ୟ କରିବାକୁ ଦିଆଯିବା ଉଚିତ। ବିବିସି ‌ଭଳି ଭ୍ରଷ୍ଟ ସଂସ୍ଥା ଭାରତ ବିରୋଧରେ ଲଗାତାର ଷଡ଼ଯନ୍ତ୍ର କରିଆସିଛି। କଂଗ୍ରେସ ଏହା ମନେ ରଖିବା ଉଚିତ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ମଧ୍ୟ ବିବିସିକୁ ନିଷିଦ୍ଧ କରିଥିଲେ ବୋଲି ଭାଟିଆ କହିଛନ୍ତି।

Leave A Reply

Your email address will not be published.