ଭାରତରେ ବ୍ୟାନ ହେବନି ବିବିସି, ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଖାରଜ

ନୂଆଦିଲ୍ଲୀ : ଭାରତରେ ସମ୍ପୂର୍ଣ୍ଣ ବ୍ୟାନ ହେବନି ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ୍ (ବିବିସି)। ଏ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଖାରଜ ହୋଇଯାଇଛି। ବିବିସି ପକ୍ଷରୁ ତିଆରି ହୋଇ ଥିବା ଫିଲ୍ମକୁ ନେଇ ଉକ୍ତ ଚ୍ୟାନେଲକୁ ଭାରତରେ ନିଷିଦ୍ଧ ପାଇଁ ଆବେଦନ କରାଯାଇଥିଲା।

ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଏଭଳି ଯୁକ୍ତି କେମିତି ବାଢ଼ୁଛନ୍ତି। ଏହା ସମ୍ପୂର୍ଣ୍ଣ ଭୁଲ କଥା । ବିବିସି ଉପରେ ପ୍ରତିବନ୍ଧକ ଲଗାଇବାକୁ କୋର୍ଟକୁ କିପରି କହିପାରିବେ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଏମିତି କହି ଜଷ୍ଟିସ ସଞ୍ଜୀବ ଖାନ୍ନା ଆବେଦନକୁ ଖାରଜ କରିଦେଇଛନ୍ତି।

ଏଠାରେ କହି ରଖୁଛୁ ଯେ ୨୦୦୨ ଗୁଜରାଟ ଦଙ୍ଗା ଉପରେ ପ୍ରାମାଣିକ ଚଳଚ୍ଚିତ୍ର ତିଆରି କରି ବିବିସି ବିବାଦ ଘେରରେ ଫସିଛି। ୨୦୦୨ ଗୁଜରାଟ ଦଙ୍ଗା ଉପରେ ବିବିସି ପ୍ରସ୍ତୁତ କରିଥିବା ଡକ୍ୟୁମେଣ୍ଟାରିକୁ କେନ୍ଦ୍ର ସରକାର ବେଆଇନ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଥିଲା।

ଏହା ସ୍ୱେଚ୍ଛାଚାରୀ, ଦୁର୍ଭାବନାପୂର୍ଣ୍ଣ ଏବଂ ଅସାମ୍ବିଧାନିକ ବୋଲି ଅଭିଯୋଗ ହୋଇଥିଲା। ଏ ନେଇ ଜବାବ ଦାଖଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ଏମ୍‌.ଏମ୍. ସୁନ୍ଦରେଶଙ୍କ ଖଣ୍ଡପୀଠ ୩ ସପ୍ତାହ ସମୟ ଦେବା ସହିତ ଏପ୍ରିଲ୍‌ ମାସରେ ମାମଲାର ଶୁଣାଣି କରିବେ ବୋଲି କହିଛନ୍ତି।

ଅନ୍ୟପଟେ ବିବିସି ଡକ୍ୟୁମେଣ୍ଟାରିକୁ ଭାରତରେ ବ୍ୟାନ୍ କରିବା ଘଟଣାକୁ ବିରୋଧ କରିଛି ଆମେରିକା। ଗଣମାଧ୍ୟମର ସ୍ୱାଧୀନତା ଗଣତନ୍ତ୍ରର ପରିଚୟ ବୋଲି ଆମେରିକା ବିଦେଶ ମନ୍ତ୍ରାଳୟ କହିଛି। ଗଣତନ୍ତ୍ରର ମହତ୍ୱ ଗଣମାଧ୍ୟମର ସ୍ୱାଧୀନତାକୁ ଭାରତ ସମେତ ସାରା ବିଶ୍ୱରେ ଗୁରୁତ୍ୱ ଦିଆଯିବା ଦରକାର ବୋଲି ଆମେରିକା ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ନିଡ୍ ପ୍ରାଇସ୍ କହିଛନ୍ତି।

Leave A Reply

Your email address will not be published.