ହାଇଦ୍ରାବାଦର ସାଂସଦ ଓୱେସୀଙ୍କ ବାସଭବନକୁ ପଥର ମାଡ଼, ଚତୁର୍ଥ ଥର ପାଇଁ ଆକ୍ରମଣ ହୋଇଥିବା ସୂଚନା

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଅସାଦୁଦ୍ଦୀନ୍‌ ଓୱେସୀଙ୍କ ବାସଭବନ ଉପରେ ପୁନଶ୍ଚ ଆକ୍ରମଣ କରାଯାଇଛି। ଏନେଇ ହାଇଦ୍ରାବାଦର ସାଂସଦ ତଥା ‘ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌-ଏ-ଇତ୍ତେହାଦୁଲ୍‌ ମୁସ୍‌ଲିମୀନ୍‌’ର (ଏଆଇଏମ୍‌ଆଇଏମ୍‌) ମୁଖ୍ୟ ଅସାଦୁଦ୍ଦୀନ୍‌ ଓୱେସୀ ଅଭିଯୋଗ କରିଛନ୍ତି।

ଏ ନେଇ ସେ ପାର୍ଲାମେଣ୍ଟ୍ ‌ଷ୍ଟ୍ରିଟ୍‌ ଥାନାରେ ରୁଜୁ କରିଥିବା ଅଭିଯୋଗରେ କହିଛନ୍ତି ଯେ କେତେକ ଅଜ୍ଞାତ ଦୁର୍ବୃତ୍ତ ଅଶୋକ ରୋଡ୍‌ସ୍ଥିତ ତାଙ୍କ ବାସଭବନ ଉପରକୁ ଟେକା ପଥର ଫିଙ୍ଗିଛନ୍ତି। ଫଳରେ ତାଙ୍କ ଘରର ଝରକା ନଷ୍ଟ ହୋଇଯାଇଛି। ପ୍ରକାଶ ଯେ ୨୦୧୪ ପରଠାରୁ ଏହା ହେଉଛି ତାଙ୍କ ବାସଭବନ ଉପରେ ଚତୁର୍ଥ ଆକ୍ରମଣ। ଏହି ମାମଲାରେ ପୋଲିସ ଏତଲା ରଖିବା ସହ ତଦନ୍ତ କରୁଥିବା ଜଣାଯାଇଛି।

Leave A Reply

Your email address will not be published.