ଜୁନିୟର୍ ଏନଟିଆରଙ୍କ ସାନ ଭାଇ ତାରକା ରତ୍ନଙ୍କର ହୃଦଘାତରେ ପରଲୋକ

ହାଇଦ୍ରାବାଦ: ସାଉଥ୍ ଫିଲ୍ମର ଅଭିନେତା ଜୁନିୟର୍ ଏନଟିଆରଙ୍କ ସାନ ଭାଇ ଅଭିନେତା ତଥା ‘ତେଲୁଗ ଦେଶମ୍ ପାର୍ଟି’ର ନେତା ନନ୍ଦମୁରାଇ ତାରକା ରତ୍ନଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ମାତ୍ର ୩୯ ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି। ଶନିବାର ରାତିରେ ବେଙ୍ଗାଲୁରୁ ସ୍ଥିତ ‘’ନାରାୟଣ ହୃଦୟାଳୟ ହସ୍ପିଟାଲ୍‌’ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ନନ୍ଦମୁରାଇଙ୍କ ପରଲୋକରେ ବହୁ ରାଜନେତା ଏବଂ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି।

ସୂଚନା ମୁତାବକ, ଜାନୁଆରି ୨୭ ତାରିଖ ଦିନ ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ଏକ ରୋଡ୍‌ ସୋ’ ସମୟରେ ନନ୍ଦମୁରାଇ ତାରକା ରତ୍ନଙ୍କର ହୃଦ୍‌ଘାତ ହୋଇଥିଲା। ସେ ଚେତାଶୂନ୍ୟ ହୋଇଯାଇଥିଲେ। ପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ପିସିଆର୍ ଓ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା। ପରେ ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ନାରାୟଣ ହୃଦୟାଳୟ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେବେଠାରୁ ସେ ଲାଇଫ୍ ସପୋର୍ଟରେ ଥିଲେ ଓ ୧୮ ଫେବୃୟାରୀରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ପ୍ରକାଶ ଯେ ନନ୍ଦମୁରାଇ ହେଉଛନ୍ତି ଜଣେ ଅଭିନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଟି. ରାମାରାଓଙ୍କ ନାତି ଓ ଟଲିଉଡ୍‌ ଅଭିନେତା ଜୁନିୟର୍‌ ଏନ୍‌ଟିଆର୍‌ଙ୍କ ସମ୍ପର୍କୀୟ ଭାଇ। ସେ ୨୦୦୨ରେ ‘ଓକାତୋ ନମ୍ବର୍‌ କୁରାଡୁ’ ରେ ଡେବ୍ୟୁ କରିଥିଲେ। ଏହାପରେ ସେ ‘ୟୁବା ରତ୍ନ’, ‘ତାରକ’, ‘ଭାଦ୍ରାଦ୍ରି ରାମୁଡୁ’ ଏବଂ ‘ଅମରାବତୀ’ ଭଳି ଚଳଚ୍ଚିତ୍ରରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ଆସନ୍ତାବର୍ଷ ସେ ‘ଟିଡିପି’ ଟିକେଟ୍‌ରେ ବିଧାନସଭା ନିର୍ବାଚନ ଲଢ଼ିବାକୁ ଖୁବ୍‌ ଆଗ୍ରହୀ ଥିଲେ। ତାଙ୍କ ପରଲୋକରେ ମହେଶ ବାବୁ, ଅଲ୍ଲୁ ଅର୍ଜୁନଙ୍କ ସମେତ ବହୁ କଳାକାର ଶୋକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.