ମନୀଷ ସିସୋଦିଆ ଏବଂ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ଥାନ ନେବେ ଆତିଶୀ ମାର୍ଲିନା ଓ ସୌରଭ ଭରଦ୍ୱାଜ

ନୂଆଦିଲ୍ଲୀ: ଇସ୍ତଫା ଦେଇଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍। ଉଭୟଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଛି ଓ ସେ ସବୁକୁ ଗ୍ରହଣ କରାଯାଉ ବୋଲି ସୁପାରିସ କରିଛନ୍ତି ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା।

ଅନ୍ୟପଟେ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଆତିଶୀ ମାର୍ଲିନା ଓ ସୌରଭ ଭରଦ୍ୱାଜଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତ କରିବାକୁ ଦସ୍ତାବିଜ୍ ଏଲଜି ବିନୟ ସକ୍ସେନାଙ୍କୁ ପଠାଯାଇଛି। ୨ ଜଣ ନୂଆ ମନ୍ତ୍ରୀଙ୍କୁ ନିଯୁକ୍ତି ମିଳିବ ବୋଲି ଆଶା କରାଯାଉଛି।

ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତିରେ ଲିପ୍ତ ଥିବା କାରଣରୁ ରବିବାର ଦିନ ଗିରଫ ହୋଇଥିଲେ ସିସୋଦିଆ। ପରେ ସେ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ମଙ୍ଗଳବାର ଦିନ ତାଙ୍କ ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗ୍ରହଣ କରିଥିଲେ।
ସେହିପରି, ‘ମନି ଲଣ୍ଡରିଙ୍ଗ୍ ମାମଲା’ରେ ୯ ମାସ ହେବ ଜେଲରେ ଥିବା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ମଧ୍ୟ ମଙ୍ଗଳବାର ଦିନ ଇସ୍ତଫା ଦେଇଛନ୍ତି।

ସୂଚନାଯୋଗ୍ୟ, ସିସୋଦିଆ ଅର୍ଥ, ଯୋଜନା, ପବ୍ଲିକ୍ ୱାର୍କସ୍, ଶକ୍ତି ଏବଂ ଗୃହ ମନ୍ତ୍ରାଳୟ ପ୍ରମୁଖ ବିଭାଗର ଦାୟିତ୍ବରେ ଥିଲେ। ଏବେ ଉକ୍ତ ବିଭାଗର ଦାୟିତ୍ୱ ମନ୍ତ୍ରୀ କୈଳାଶ ଗେହଲଟ୍ ଏବଂ ରାଜକୁମାର ଆନନ୍ଦଙ୍କୁ ଦିଆଯାଇଛି।

Leave A Reply

Your email address will not be published.