ମଣିପୁରରେ ସଂଘର୍ଷ ଥମିଲେ ବି ସ୍ଥିତି ଅସମ୍ଭାଳ

ଆଦିବାସୀ ଓ ଅଣଆଦିବାସୀ ସଂଘର୍ଷକୁ ନେଇ ଅଶାନ୍ତ ହୋଇ ପଡ଼ିଥିବା ମଣିପୁରରେ ଏବେ ଜୀବନଯାତ୍ରା ଦୁର୍ବିସହ ହୋଇପଡିଛି, ସଂଘର୍ଷ ଥମିଯାଇଛି, ମାତ୍ର ଏହାର ପାର୍ଶ୍ଵ ପ୍ରଭାବରେ ଅତିଷ୍ଟ ହୋଇପଡ଼ୁଛନ୍ତି ଇମ୍ଫାଲବାସୀ, ସବୁଠି ଛାଇଯାଇଛି ହାହାକାର !
ସ୍ଥିତିକୁ ଆୟତ୍ତକୁ ଆଣିବାକୁ ସେନା ଦୁଇ ନମ୍ବର ଜାତୀୟ ରାଜପଥକୁ ରୁଦ୍ଧ କରିଦେବା ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ଧରି ଆସୁଥିବା ଟ୍ରକଗୁଡିକୁ ଇମ୍ଫାଲ ଭିତରକୁ ପ୍ରବେଶ ଅନୁମତି ମିଳୁନି। ଏଥିପାଇଁ ରାତାରାତି ସବୁ ଜିନିଷ ଦାମ୍‌ ଦୁଇ ଗୁଣ ହୋଇଯାଇଛି। ଚାଉଳଠୁ ଆରମ୍ଭ କରି ଜୀବନ ରକ୍ଷାକାରୀ ଔଷଧ ସମେତ ଅତ୍ୟାବଶ୍ୟକ ସାମଗ୍ରୀସବୁର ମୂଲ୍ୟ ହୁ ହୁ ହୋଇ ବଢ଼ି ଯାଇଛି। ଏବେ ଏଠାରେ ପେଟ୍ରୋଲ ଲିଟର ପିଛା ଦର ୨ଶହ ଟଙ୍କା ହୋଇଥିବା ବେଳେ ପେଟ୍ରୋଲ ପମ୍ପ ଆଗରେ ଦେଖିବାକୁ ମିଳୁଛି କିଲୋମିଟର ଲମ୍ବା ଲାଇନ୍‌।

ମିଥି ଓ କୁକି ସମ୍ପ୍ରଦାୟ ମଧ୍ୟରେ ଲାଗିଥିବା ଏହି ସଂଘର୍ଷ ଫଳରେ ଉଭୟ ସମ୍ପ୍ରଦାୟର ବହୁଲୋକ ନିଜ ବାସସ୍ଥାନ ହରାଇ ଏବେ ଶରଣାର୍ଥୀ ଶିବିରରେ ରହିବାକୁ ବାଧ୍ୟ ହେଉଛନ୍ତି।

ପୂର୍ବରୁ କିଲୋ ୩୦ ଟଙ୍କାରେ ମିଳୁଥିବା ଚାଉଳର ଦାମ ଦୁଇଗୁଣ ହୋଇଯାଇଛି, ପିଆଜ କିଲୋ ପିଛା ପୂର୍ବରୁ ୩୫ ଟଙ୍କା ଥିବା ବେଳେ ତାହା ଏବେ ୭୦ ଟଙ୍କାରେ ପହଞ୍ଚିଛି। ଆଳୁ କିଲୋ ପିଛା ୧୫ ଟଙ୍କାରୁ ବଢ଼ି ୪୦ ଟଙ୍କା ଛୁଇଁଛି। ଅଣ୍ଡା ଗୋଟା ପିଛା ପୂର୍ବରୁ ୬ ଟଙ୍କା ଥିବା ବେଳେ ଏବେ ତାହା ୧୦ ଟଙ୍କା ହୋଇଛି । ରିଫାଇନ ଲିଟର ପିଛା ପୂର୍ବରୁ ୨୨୦ ଟଙ୍କା ଥିବା ବେଳେ ଏବେ ତାହା ୨୫୦ରୁ ୨୮୦ ଟଙ୍କାରେ ବିକ୍ରି ହେଉଛି।

ମଣିପୁରରେ କର୍ଫ୍ୟୁକୁ କିଛି ସମୟ ପାଇଁ କୋହଳ କରାଯାଉଥିବା ବେଳେ ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି, ଏଟିଏମ୍‌ଗୁଡ଼ିକ ଖାଲି ପଡ଼ିଲାଣି। ଇଣ୍ଟରନେଟ ସେବାକୁ ବିଚ୍ଛିନ୍ନ କରାଯାଇଥିବାରୁ ଅନଲାଇନରେ ଦେୟ ପୈଠ ବି ହୋଇ ପାରୁନି।

Leave A Reply

Your email address will not be published.