ଉତ୍କଳ ଗୃହରକ୍ଷୀ ମହାସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଏକ ମାମଲାର ବିଚାର କରି ୯୦ ଦିନ ମଧ୍ୟରେ ଗୃହରକ୍ଷୀମାନଙ୍କୁ ବର୍ଦ୍ଧିତ ହାରରେ ଦରମା ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ। ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟ ଦେଇଥିବା ଏହି ନିର୍ଦ୍ଦେଶର ଅନୁପାଳନ କରିବା ବଦଳରେ ରାଜ୍ଯ ସରକାର ଏହା ବିରୋଧରେ ରିଭ୍ଯୁ ପିଟିସନ ଦାଖଲ କରିଥିବାରୁ ରାଜ୍ୟର ୧୭ ହଜାର ହୋମଗାର୍ଡ ବର୍ଦ୍ଧିତ ଦରମା ସହ ବକେୟାରାଶି ପାଇବାକୁ ନେଇ ସଂଦେହ ଦେଖା ଦେଇଛି। ସରକାରଙ୍କ ଏପରି ନିଷ୍ପତ୍ତି ଗୃହରକ୍ଷୀମାନଙ୍କୁ ହତାଶ କରିଥିବା ବେଳେ ଝାଡ଼ଖଣ୍ଡ ହାଇକୋର୍ଟର ନୂତନ ଭବନ ଉଦଘାଟନ ଅବସରରେ ସବୁ ବର୍ଗର ଲୋକଙ୍କୁ ସମାନ ନ୍ଯାୟପ୍ରଦାନ ନିମନ୍ତେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦବୋଧନ ସେମାନଙ୍କ ମନରେ ଆଶା ସଞ୍ଚାର କରିଛି। କେନ୍ଦ୍ର ଆଇନ ମନ୍ତ୍ରୀ ଓ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି କୋର୍ଟଙ୍କ ଆଦେଶ ସତ୍ତ୍ଵେ ଏହାକୁ କାର୍ଯ୍ୟକାରୀ କରିବାରେ ହେଉଥିବା ବିଳମ୍ବକୁ ନେଇ ରାଷ୍ଟ୍ରପତି ଅସନ୍ତୋଷ ପ୍ରକାଶ କରିଥିଲେ।
ରାଷ୍ଟ୍ରପତିଙ୍କ ଏପରି ଉଦବୋଧନ ପରେ ହୋମଗାର୍ଡମାନଙ୍କ ସମୂହ ସ୍ୱାର୍ଥ ଦୃଷ୍ଟିରୁ ଦରମା ନଦେଲେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ରାଷ୍ଟ୍ରପତିଙ୍କୁ ନିବେବନ କରିଛନ୍ତି ମହାସଂଘର ରାଜ୍ୟ ସଭାପତି ରଂଜନ ମଲ୍ଲିକ ।
Next Post