ଦେଶର ଲୋକେ ବିଜେପିକୁ ଧୂଳି ଚଟାଇବେ : ରାହୁଲ ଗାନ୍ଧୀ

ସମ୍ପ୍ରତି ଆମେରିକା ଗସ୍ତରେ ଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲଗାତାର ଭାବେ କେନ୍ଦ୍ରର ବିଜେପି ସରକାରକୁ ନିଶାଣ କରୁଛନ୍ତି। ରାହୁଲ କହିଛନ୍ତି ଯେ କର୍ଣ୍ଣାଟକରେ କଂଗ୍ରେସ ଦଳ ଯେପରି ବିଜେପିକୁ ପରାସ୍ତ କରିଛି, ସେହିପରି ଆଗକୁ ହେବାକୁ ଥିବା ତେଲେଙ୍ଗାନା ଏବଂ ଅନ୍ୟାନ୍ୟ ରାଜ୍ୟ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପିକୁ ପରାସ୍ତ କରିବ। ଶ୍ରୀ ଗାନ୍ଧୀ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି, ଯାହାର ଫଳ ସ୍ଵରୂପ କେବଳ କଂଗ୍ରେସ ଦଳ ନୁହେଁ ଦେଶର ଲୋକେ ବିଜେପିର ଘୃଣ୍ୟ ଭାବନାକୁ ପରାସ୍ତ କରିବେ, ଏହାକୁ ଧୂଳି ଚଟାଇବେ।

ୱାଶିଂଟନ୍ ଓ ସାନଫ୍ରାନ୍ସିସ୍କୋ ପରେ ନ୍ୟୁୟର୍କରେ ପହଞ୍ଚି ଶନିବାର ଦିନ ଏକ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ କହିଛନ୍ତି ଯେ କର୍ଣ୍ଣାଟକରେ ବିଜେପି କେବଳ ପରାସ୍ତ ହୋଇନାହିଁ, କଂଗ୍ରେସ ଦଳ ଏହି ବିଭେଦକାରୀ ଭାରତୀୟ ଜନତା ପାର୍ଟିକୁ ମାଟିରେ ମିଶାଇ ଦେଇଛି। ଶ୍ରୀ ଗାନ୍ଧୀ କହିଛନ୍ତି ଯେ କର୍ଣ୍ଣାଟକ ନିର୍ବାଚନରେ ବିଜୟ ହାସଲ କରିବାକୁ ​​ବିଜେପି ସବୁ ଉପାୟ ଅବଲମ୍ବନ କରିଥିଲା, ସେମାନଙ୍କ ପାଖରେ ମିଡିଆ ଥିଲା, କଂଗ୍ରେସଠାରୁ ୧୦ଗୁଣ ଅଧିକ ଅର୍ଥ ଓ ଲୋକଙ୍କୁ ଡରାଇବା ପାଇଁ କେନ୍ଦ୍ରୀୟ ଏଜେନ୍ସିସବୁ ଥିଲା। ତଥାପି କଂଗ୍ରେସ ଦଳ ସେମାନଙ୍କୁ ଶୋଚନୀୟ ଭାବେ ପରାସ୍ତ କରିଥିଲା। ବେକାରୀ, ଦରବୃଦ୍ଧି ଏବଂ ଦୁର୍ନୀତି ପ୍ରସଙ୍ଗରେ କର୍ଣ୍ଣାଟକ ନିର୍ବାଚନରେ ବିଜେପି ବିପକ୍ଷରେ ଲଢେଇ କରାଯାଇଥିଲା ବୋଲି ରାହୁଲ କହିଛନ୍ତି। ନିକଟରେ ହେବାକୁ ଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ​​ମଧ୍ୟ କଂଗ୍ରେସ ସେମାନଙ୍କୁ ପରାସ୍ତ କରିବ ବୋଲି ରାହୁଲ କହିଛନ୍ତି। ଏଥିସହିତ ୨୦୨୪ ଲୋକସଭା ନିର୍ବାଚନରେ ​​ଜିତିବା ନେଇ ଦାବି କରି ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ଲୋକେ ବିଜେପିକୁ ପରାସ୍ତ କରିବେ। ସେ କହିଛନ୍ତି ଯେ ଭାରତର ଲୋକେ ବୁଝିସାରିଛନ୍ତି ଯେ ଯେଉଁଭଳି ଭାବରେ ବିଜେପି ସମାଜରେ ଘୃଣା ଓ ସାମ୍ପ୍ରଦାୟିକ ବିଦ୍ଵେଷ ବଢ଼ାଉଛି, ଦେଶ ଆଗକୁ ଯାଇପାରିବ ନାହିଁ !

Leave A Reply

Your email address will not be published.