କର୍ଣ୍ଣାଟକ ବିଜୟ ଖୁସିରେ ୨୦୨୪ ନିର୍ବାଚନକୁ ହାଲୁକାରେ ନନେଉ କଂଗ୍ରେସ : ପ୍ରଶାନ୍ତ କିଶୋର

କର୍ଣ୍ଣାଟକରେ ବିଜୟ ପାଇଁ କଂଗ୍ରେସ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର, ଅଭିନନ୍ଦନ ଜଣାଇବା ସହିତ ଗତକାଲି ସେ କଂଗ୍ରେସକୁ ଚେତାଇ ଦେଇ କହିଛନ୍ତି ଯେ କର୍ଣ୍ଣାଟକ ନିର୍ବାଚନ ଜିତିବା ଖୁସିରେ କଂଗ୍ରେସ ଦଳ ୨୦୨୪ ଲୋକସଭା ନିର୍ବାଚନକୁ ସହଜରେ ଜିତିଯାଇ ହେବ ବୋଲି ହାଲୁକା ଭାବରେ ନନେଉ । ପାର୍ଟିର କାର୍ଯ୍ୟକର୍ତ୍ତା ଏବଂ ନେତାମାନଙ୍କୁ ସାବଧାନ କରାଇଦେଇ ସେ କହିଛନ୍ତି ଯେ ବିଧାନସଭା ନିର୍ବାଚନ ଫଳାଫଳ ଦେଖି ଆଗାମୀ ଲୋକସଭା ନିର୍ବାଚନକୁ ହାଲୁକାରେ ନେଲେ ଫଳ ଓଲଟା ହେବ !
ସେ କହିଛନ୍ତି ଯେ, ୨୦୧୨ରେ ସମାଜବାଦୀ ପାର୍ଟି ଉତ୍ତର ପ୍ରଦେଶରେ ବହୁମତ ସହିତ ସରକାର ଗଠନ କରିଥିଲା। ଦୁଇ ବର୍ଷ ପରେ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନଡିଏ ରାଜ୍ୟର ମୋଟ ୮୦ଟି ଆସନ ମଧ୍ୟରୁ ୭୩ ଆସନରେ ବିଜୟୀ ହୋଇଥିଲା। ସେହିପରି ୨୦୧୩ ବିଧାନସଭା ନିର୍ବାଚନ ଫଳାଫଳକୁ ମଧ୍ୟ ସେ ମନେ ପକାଇଦେଇ କହିଛନ୍ତି ଯେ ଏଥିରେ କଂଗ୍ରେସ ବିଜୟ ହାସଲ କରିଥିଲା,ମାତ୍ର ପରବର୍ଷ ଲୋକସଭା ନିର୍ବାଚନରେ ଶୋଚନୀୟ ଭାବେ ପରାଜିତ ହୋଇଥିଲା ।
୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜୟ ହାସଲ କରିଥିଲା ବେଳେ ୨୦୧୯ ଲୋକସଭା ନିର୍ବାଚନରେ କିପରି ଏଠାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା,ତାହାକୁ ଭୁଲି ନଯିବାକୁ ସେ କଂଗ୍ରେସ ଦଳକୁ ସାବଧାନ କରାଇ ଦେଇଛନ୍ତି।

ପ୍ରଶାନ୍ତ କିଶୋର ପୂର୍ବରୁ ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ନିର୍ବାଚନୀ ରଣନୀତିକାର ଭାବେ କାର୍ଯ୍ୟକରି ସେମାନଙ୍କୁ ପ୍ରସ୍ତୁତ କରିବା ସହିତ ବିଜୟୀ କରାଇଛନ୍ତି।

Leave A Reply

Your email address will not be published.