କିରଣ ରିଜଜୁ ଆଉଟ

ଆଇନ ମନ୍ତ୍ରଣାଳୟରୁ ବିଦାହେଲେ କିରଣ ରିଜଜୁ ! ରାଷ୍ଟ୍ରପତି ଭବନରୁ ଆଜି ଜାରି ହୋଇଥିବା ଏକ ସୂଚନାନାମାରୁ ଜଣା ପଡିଛି ଯେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ଶ୍ରୀ ରିଜଜୁଙ୍କୁ ଆଇନ ମନ୍ତ୍ରଣାଳୟରୁ ଅପସାରଣ କରାଯାଇଛି। ତାଙ୍କ ସ୍ଥାନରେ ସଂସଦୀୟ ବ୍ଯାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘବାଲ ଆଇନମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। କିରଣଙ୍କୁ କମ ଗୁରୁତ୍ୱପୂର୍ଣ୍ଣ ପୃଥିବୀ ବିଜ୍ଞାନ ମନ୍ତ୍ରୀ କରାଯାଇଛି।
ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା କିରଣଙ୍କର ଆଇନ ଅଦାଲତ ଓ ନ୍ଯାୟିକ ବ୍ଯବସ୍ଥା ଉପରେ କୌଣସି ଅଭିଜ୍ଞତା ନଥିବା ଦୃଷ୍ଟିରୁ ତାଙ୍କୁ ଆଇନମନ୍ତ୍ରୀ କରାଯିବାରେ ଦଳର ବହୁ ଅଭିଜ୍ଞ ନେତା ଭୃକୁଞ୍ଚନ କରିଥିଲେ। ସୁପ୍ରିମକୋର୍ଟ ହାଇକୋର୍ଟ ତଥା ଦେଶର ବିଚାର ବ୍ଯବସ୍ଥାକୁ ନେଇ ବାତୁଳତା ପ୍ରଦର୍ଶନ କରୁଥିବା ଏହି ଅରୁଣାଚଳୀ ନେତା କିଛିଦିନ ତଳେ ସୁପ୍ରିମକୋର୍ଟ ଓ ହାଇକୋର୍ଟର କେତେକ ଅବସରପ୍ରାପ୍ତ ବିଚାରପତିଙ୍କୁ ପରୋକ୍ଷରେ ଭାରତବିଦ୍ଵେଷୀ ଦେଶଦ୍ରୋହୀ ବୋଲି କହିଥିଲେ ! ଚତୁର୍ଥ ସ୍ତମ୍ଭ ନ୍ଯୁଜରେ କିରଣଙ୍କର ଏପରି ଆକ୍ଷେପକୁ ନେଇ ଆଲୋଚନା କରାଯାଇଥିଲା।ପୂର୍ବରୁ କିରଣ ଯୁବ ବ୍ଯାପାର ଓ କ୍ରିଡା ରାଷ୍ଟ୍ରମନ୍ତ୍ରୀ ଥିଲେ, ୨୦୨୧ ଜୁଲାଇ ମାସରେ ତାଙ୍କୁ କ୍ଯାବିନେଟ ପାହ୍ଯା ଦିଆଯାଇ ଆଇନମନ୍ତ୍ରୀ କରାଯାଇଥିଲା। କଲେଜିଅମ ମାଧ୍ୟମରେ ବିଚାରପତି ନିଯୁକ୍ତି ଓ କୋର୍ଟ କଚେରୀରେ ଦୀର୍ଘ ଅବକାଶ ବ୍ଯବସ୍ଥା ବିରୋଧରେ ବୟାନବାଜି କରି କିରଣ କଟୁ ସମାଲୋଚନାର ପାତ୍ର ହୋଇଥିଲେ।
ଏବେ ତାଙ୍କୁ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟରେ ଥଇଥାନ କରାଯିବା ପରେ – ସେଠାରେ ସେ କି ଜ୍ଞାନ ବିତରଣ କରିବେ ଦେଖାଯାଉ !!

Leave A Reply

Your email address will not be published.