ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ, ୨୦୦ ଟପିଲା ମୃତକଙ୍କ ସଂଖ୍ୟା

ଆଜି ସକାଳୁ ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂକଂପରେ ମୃତକଙ୍କ ସଂଖ୍ୟା ୨୦୦ ଟପିଛି । ସ୍ଥାନୀୟ ସମୟ ୪ଟା ୧୭ ମିନିଟରେ ୭.୮ ତୀବ୍ରତାର ଭୂମିକମ୍ପ ଆସିଥିଲା । ଏଥିରେ ୪୪୦ରୁ ଅଧିକ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ମୃତକଙ୍କ ସଂଖ୍ୟା ବଢି ବଢି ଚାଲିଛି। ଭୂକମ୍ପ ଯୋଗୁ ବଡ ବଡ ବିଲ୍ଡିଂ ସବୁ ଦବି ଯାଇଥିବା ବେଳେ ବହୁ ଉଚ୍ଚ ଅଟ୍ଟଳିକା ଭାଙ୍ଗିଯାଇଛି ।

ତୁର୍କୀର ଅଡାନା ସହରରେ ୧୭ ମହଲା ବିଲିଡିଂ ଏବଂ ୧୪ ମହଲା ବିଲିଡିଂ ଭୁଶୁଡିପଡିଛି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ତୁର୍କୀର ଗାଜିଆନଟେପ ନିକଟରେ ଏହି ଭୂମିକମ୍ପ ହୋଇଛି । ଫଳରେ ତୁର୍କୀ ସହିତ ସିରିଆରେ ମଧ୍ୟ ବିନାଶ ଘଟିଛି। ତୁର୍କୀରେ ଭୂମିକମ୍ପ କାରଣରୁ ୩୪ ଟି କୋଠା ଭୁଶୁଡି ପଡିଛି । ଏହି ଭୂମିକମ୍ପ ଦକ୍ଷିଣ ତୁର୍କୀର ଗାଜିଆନଟେପ୍‌ ସହରକୁ ଥରାଇ ଦେଇଥିଲା ଏବଂ ଅନେକ ଲୋକ ଅଟ୍ଟାଳିକା ତଳେ ପୋତି ହୋଇ ରହିଯାଇଛନ୍ତି। ଭୂମିକମ୍ପ ପ୍ରଭାବରେ ସାଇପ୍ରସ୍, ତୁର୍କୀ, ଗ୍ରୀସ୍, ଜୋର୍ଡାନ, ଲେବାନନ୍, ସିରିଆ, ଇରାକ ଏବଂ ଜର୍ଜିଆ ଥରି ଉଠିଛି।

ଅନ୍ୟପଟେ ତୁର୍କୀ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇନାହିଁ କି ମୃତାହତଙ୍କ ସଂପର୍କରେ କିଛି ସୂଚନା ଦିଆଯାଇନାହିଁ। ତେବେ ତୁର୍କୀର ଇଜାମିର ସହର ବେଶ ପ୍ରଭାବିତ ହୋଇଛି । ୧୭ଟି ବିଲିଡିଂ ଧ୍ୱଂସ ହୋଇଛି ।

Leave A Reply

Your email address will not be published.