କର୍ଣାଟକରେ ହିଂସ୍ର ହେଉଛି ବିଜେପି : ହତ୍ୟା କରିବାକୁ ରଚୁଛି ଯୋଜନା

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ତାଙ୍କ ବିଧାୟକ ପୁତ୍ର ପ୍ରିୟଂକଙ୍କୁ ହତ୍ୟା କରିବାକୁ ବିଜେପି ଯୋଜନା କରୁଛି ବୋଲି ଆଜି ଏକ ସାମ୍ବଦିକ ସମ୍ମିଳନୀରେ ଦଳର ବରିଷ୍ଠ ପ୍ରବକ୍ତା ରଣଦୀପ ସିଂ ସୁରଜେୱାଲା ଖୁଲାସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଖାସ ଅନୁଗତ ଚିତ୍ତପୁରର ବିଜେପି ପ୍ରାର୍ଥୀ ମଣିକାନ୍ତ ରାଥୋଡ ଏପରି ଏକ ଭୟଙ୍କର ଷଡଯନ୍ତ୍ର ରଚୁଥିବା କହି ଷଡଯନ୍ତ୍ରର ଏକ ଅଡିଓ ଟେପ ସର୍ବସମ୍ମୁଖରେ ରଖିଛନ୍ତି ସୁରେଜଓ୍ଵାଲା।

କର୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରତି ସାଧାରଣ ଜନତାଙ୍କ ସମର୍ଥନ ବୃଦ୍ଧିରେ ଭୟଭୀତ ହୋଇ ବିଜେପି ବାଟବଣା ହୋଇ ଖଡଗେଙ୍କ ପରିବାରକୁ ସମୂଳେ ବିନାଶ କରିବାକୁ ହିଂସ୍ର ଚକ୍ରାନ୍ତର ରାସ୍ତା ଆପଣାଉଛି ବୋଲି ସେ କହିଛନ୍ତି।

ଚିତ୍ତପୁରର ବିଜେପି ବିଧାୟକ ପ୍ରାର୍ଥୀ ରାଥୋଡ଼ ପ୍ରଧାନମନ୍ତ୍ରୀ ମୋଦି ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଖାସ ଅନୁଗତ ହୋଇଥିବା ବେଳେ, ତାଙ୍କ ଅଡିଓରୁ ବିଜେପିର ଘୃଣ୍ୟ ଚିନ୍ତାଧାରା ଲୋକଙ୍କ ସମ୍ମୁଖକୁ ଆସିଛି। ଏହି ଅଡିଓ ପ୍ରଘଟ ହେବା ସତ୍ତ୍ୱେ ପ୍ରଧାନମନ୍ତ୍ରୀଙ୍କ ସମେତ, କର୍ଣ୍ଣାଟକ ପୋଲିସ ଓ ନିର୍ବାଚନ ଆୟୋଗ ଏହା ଉପରେ ନୀରବତା ଅବଲମ୍ବନ କରୁଛନ୍ତି ବୋଲି ଅଭିଯୋଗ କରି ସୁରେଜଓ୍ଵାଲା କହିଛନ୍ତି ଯେ ଖଡଗେ ହେଉଛନ୍ତି କର୍ଣ୍ଣାଟକ ମାଟିର ସନ୍ତାନ, ତାଙ୍କ ବିରୋଧରେ ଏପରି ଭୟାନକ ଷଡଯନ୍ତ୍ରର ଉଚିତ ଜବାବ କର୍ଣ୍ଣାଟକବାସୀ ଦେବେ।

ଉଲ୍ଲେଖଯୋଗ୍ୟ ଯେ, ପ୍ରିୟଙ୍କ ଖଡଗେଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ଗତ ବର୍ଷ ନଭେମ୍ବର ୧୩ ତାରିଖରେ ମଣିକାନ୍ତ ରାଥୋଡଙ୍କୁ ଗିରଫ କରାଯାଇଥିଲା। ସେ ଜାମିନରେ ମୁକୁଳିବା ପରେ ବିଜେପି ତାଙ୍କୁ ଏବେ ନିର୍ବାଚନ ଲଢ଼ିବାକୁ ପ୍ରାର୍ଥୀ କରିଛି।

Leave A Reply

Your email address will not be published.