କଂଗ୍ରେସ ଛାଡିଲେ ପୂର୍ବତନ ମନ୍ତ୍ରୀ ମନପ୍ରୀତ ବାଦଲ

ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ପଞ୍ଜାବର ପୂର୍ବତନ ରାଜ୍ୟ ସଭାପତି ନବଜୋତ ସିଂ ସିଦ୍ଧୁଙ୍କର ସେ ଘନିଷ୍ଠ ସହଯୋଗୀ ଥିଲେ।

ରାହୁଲ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇବାର ମାତ୍ର କିଛି ସମୟ ମଧ୍ୟରେ ସେ ବିଜେପିରେ ଯୋଗ ଦେଇଛନ୍ତି । ପଞ୍ଜାବରେ କଂଗ୍ରେସ ସରକାର ସମୟରେ ଓ ଶିରୋମଣୀ ଅକାଳୀଦଳ ସରକାର ସମୟରେ ସେ ରାଜ୍ୟର ଅର୍ଥମନ୍ତ୍ରୀ ଥିଲେ।

ଭାରତ ଯୋଡ ଯାତ୍ରା ମଧ୍ୟରେ ମନପ୍ରୀତ ବାଦଲଙ୍କ ଭଳି ଜଣେ ନେତା ଦଳ ଛାଡିବା ଫଳରେ କଂଗ୍ରେସକୁ ବଡ ଝଟକା ଲାଗିଛି । ଏହା ପୂର୍ବରୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦରସିଂ ମଧ୍ୟ କଂଗ୍ରେସ ଛାଡିଥିଲେ । କେବଳ ଏହି ଦୁଇଜଣ ନୁହଁନ୍ତି ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ସୁନୀଲ ଝାକଡ ମଧ୍ୟ ଇତିମଧ୍ୟରେ ଦଳରୁ ଇସ୍ତଫା ଦେଇ ସାରିଛନ୍ତି ।

ମନପ୍ରୀତ ବାଦଲ ପ୍ରଥମଥର ପାଇଁ ୧୯୯୫ ମସିହାରେ ଅକାଳୀଦଳ ଟିକେଟରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ସେ ୧୯୯୭,୨୦୦୨ ଓ ୨୦୦୭ ମସିହାରେ ଲଗାତର ଭାବେ ଗିଦ୍ଦଡବାହା ନିର୍ବାଚନ ମଣ୍ଡଳୀରୁ ବିଧାୟକ ନିର୍ବାଚିତ ହୋଇଥିଲେ ଓ ୨୦୦୭ ମସିହାରେ ପ୍ରକାଶ ସିଂହ ବାଦଲ ସରକାରରେ ଅର୍ଥମନ୍ତ୍ରୀ ଥିଲେ । ୨୦୧୦ ମସିହାରେ ଶିରୋମଣୀ ଅକାଳିଦଳରୁ ତାଙ୍କୁ ବହିଷ୍କାର କରାଯାଇଥିଲା। ପରେ ୨୦୧୬ ଜାନୁଆରୀ ୧୫ ତାରିଖରେ ସେ କଂଗ୍ରେସରେ ଯୋଗ ଦେଇଥିଲେ।

Leave A Reply

Your email address will not be published.