ଲକ୍ଷ୍ମୀପୁର ଖେରିର ଧୂମକେତୁକୁ ୮ ସପ୍ତାହ ଜାମିନ

୨୦୨୧ ମସିହାରେ ଲକ୍ଷ୍ମୀପୁର ଖେରିରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀଙ୍କ ଉପରେ ଧୂମକେତୁ ଭଳି ଗାଡି ଚଢାଇ ୪ ଜଣଙ୍କୁ ଚକଟି ମାରି ଦେଇଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶୀଷଙ୍କ ଉପରେ ମେହରବାନ ହୋଇଛନ୍ତି ସୁପ୍ରିମକୋର୍ଟ, ତାଙ୍କୁ ୮ ସପ୍ତାହ ଆନ୍ତରିଣ ଜାମିନ ପ୍ରଦାନ କରିଛନ୍ତି ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜେ କେ ମାହେଶ୍ଵରୀଙ୍କ ଖଣ୍ଡପୀଠ ।

ଅବଶ୍ୟ ଏହି ଆଦେଶରେ ଆଶୀଷ ଜାମିନ ଅବଧି କାଳରେ ଉତ୍ତର ପ୍ରଦେଶ ବା ଦିଲ୍ଲୀରେ ରହିପାରିବେ ନାହିଁ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ସ୍ମରଣଯୋଗ୍ୟ ଯେ ୨୦୨୧ ଅକ୍ଟୋବର ୩ ତାରିଖରେ ଲକ୍ଷ୍ମୀପୁର ଖେରି ଜିଲ୍ଲାର ତିକୁଣିଆରେ ତତ୍କାଳୀନ ରାଜ୍ୟ ଉପମୁଖ୍ଯମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତକୁ ବିରୋଧ କରି କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଏହି ଭୟାବହ କାଣ୍ଡ ଘଟାଇଥିଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ, ହିଂସାକାଣ୍ଡରେ ଜଣେ ସାମ୍ବାଦିକଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଥିଲା।

ଗତବର୍ଷ ଜୁଲାଇ ୨୬ ତାରିଖରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଆଶୀଷଙ୍କ ଜାମିନ ଆବେଦନକୁ ପ୍ରତ୍ଯାଖାନ କରିବା ପରେ ସେ ସୁପ୍ରିମକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ।

Leave A Reply

Your email address will not be published.