ବାବୁ ଧର୍ମେନ୍ଦ୍ରଙ୍କ ମନରେ ଅଛି କ’ଣ ?

୨୪ ନିର୍ବାଚନ ଆଉ ମାତ୍ର କିଛିମାସ ବାକି ଥିବା ବେଳେ ରାଜନୈତିକ ଦଳଗୁଡିକ ଏବେ ଠାରୁ ସକ୍ରିୟ ହୋଇଗଲେଣି। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାର ସଫଳତାରେ ବିବ୍ରତ ଭାରତୀୟ ଜନତା ଦଳ କେନ୍ଦ୍ରରେ ପୁଣି କ୍ଷମତାକୁ ଫେରିବାକୁ ନୂଆ ରଣକୌଶଳ ପ୍ରସ୍ତୁତ କରୁଥିବା ବେଳେ ଆଞ୍ଚଳିକ ଦଳଗୁଡିକ ଏକଜୁଟ ହୋଇ ଟକ୍କର ଦେବାକୁ ଅଣ୍ଟା ଭିଡିଲେଣି। ୨୦୨୪ରେ ଲୋକସଭା ନିର୍ବାଚନ ସହ ଓଡିଶା ସମେତ ଆଉ କିଛି ରାଜ୍ୟରେ ମଧ୍ୟ ଏକକାଳୀନ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ସ୍ଥିତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ଗଣମାଧ୍ୟମ ‘ଦ ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ଯେ ଏଥର ସେ ଓଡ଼ିଶାରୁ ନିର୍ବାଚନ ଲଢିବେ ! ଏଥିପାଇଁ ଦଳର କେନ୍ଦ୍ରୀୟ ନେତୃତ୍ୱକୁ ଅନୁରୋଧ କରିସାରିଛନ୍ତି ବୋଲି କହିଛନ୍ତି ସେ । ଉଲ୍ଲେଖଯୋଗ୍ୟ ଯେ ୨୦୦୪ରେ ଦେବଗଡ ସଂସଦୀୟ କ୍ଷେତ୍ରରୁ ସାଂସଦ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରି ବିଜୟୀ ହୋଇଥିଲେ ଧର୍ମେନ୍ଦ୍ର ପ୍ରଧାନ, ସେତେବେଳେ ତାଙ୍କୁ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ସକ୍ରିୟ ସମର୍ଥନ କରିଥିଲା। ୨୦୦୯ ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ଗଠବନ୍ଧନ ଛିନ୍ନ ହୋଇଯିବା ପରେ, ଚତୁର ଧର୍ମେନ୍ଦ୍ର ପ୍ରଧାନ ୧୪ ବର୍ଷ ଧରି ସିଧାସଳଖ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ନାହାନ୍ତି। ଏବେ ସେ ଏପରି ସଂକେତ ଦେବାକୁ ନେଇ ରାଜ୍ୟ ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି। ଓଡ଼ିଶାରେ ବିଜେପିର ସାଙ୍ଗଠନିକ ସ୍ଥିତି ଓ ଦଳପ୍ରତି ଜନ ସମର୍ଥନର ହାର ଯାହା, ଅନ୍ୟ କିଛି କୁଟକୌଶଳ କାରବାର ନକରି କୌଣସି ପ୍ରକାର କରିସ୍ମା ଦେଖାଇବା ସମ୍ଭବ ନୁହେଁ – ଏକଥା ଧର୍ମେନ୍ଦ୍ର ଜାଣନ୍ତି ଓ ବିଜେପିର କେନ୍ଦ୍ରୀୟ ନେତାମାନେ ମଧ୍ୟ ଜାଣନ୍ତି। ତେଣୁ ସେହି କୁଟକୌଶଳ କାରବାର କଣ ହେବ ତାହାକୁ ନେଇ ରାଜନୀତି ବିଶ୍ଲେଷକମାନେ ଅଙ୍କ କଷିବା ଆରମ୍ଭ କରିଦେଲେଣି।

Leave A Reply

Your email address will not be published.