ସ୍ଵାସ୍ଥ୍ୟବିଭାଗକୁ ତାଗିଦ କଲେ ହାଇକୋର୍ଟଙ୍କ, କହିଲେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ନକଲି ଡାକ୍ତର ଚିହ୍ନଟ କର !

ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ କରିବାକୁ ସ୍ଵାସ୍ଥ୍ୟବିଭାଗକୁ ଗତକାଲି ଓଡିଶା ହାଇକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି। ଉପାନ୍ତ ଅଞ୍ଚଳରେ ନକଲି ଡାକ୍ତରମାନେ ରୋଗୀ ଚିକିତ୍ସା କରୁଥିବାରୁ ସାଧାରଣ ଲୋକଙ୍କ ଜୀବନ ବିପଦରେ ପଡୁଥିବା ପ୍ରସଙ୍ଗକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଗତ ଡିସେମ୍ବର ୨୧ ତାରିଖରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଦାଖଲ କରାଯାଇଥିବା ସତ୍ଯପାଠକୁ ନେଇ ଅସନ୍ତୋଷ ପ୍ରକାଶ କରି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ରାଜ୍ୟରେ ଡାକ୍ତରୀ ପେସାରେ ଥିବା ସମସ୍ତ ବ୍ୟକ୍ତିଙ୍କ ଯାଞ୍ଚ ସଂପୂର୍ଣ୍ଣ କରିବାକୁ ହେବ। ଡାକ୍ତରଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ସବୁ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସରକାର ସତ୍ଯପାଠରେ ଦର୍ଶାଇଥିଲେ, ମାତ୍ର ସତ୍ୟପାଠରେ କୌଣସି ସମୟ ନିର୍ଘଣ୍ଟ ସଂପର୍କିତ ସୂଚନା ଦିଆଯାଇ ନଥିଲା। ଯାଞ୍ଚ ପ୍ରକ୍ରିୟା ଶେଷ କରିବା ସଂକ୍ରାନ୍ତରେ ସମୟ ନିର୍ଘଣ୍ଟ କଣ ରହିବ; ସେ ନେଇ ଆସନ୍ତା ଫେବୃଆରୀ ୨୦ ତାରିଖରେ ସାନି ସତ୍ୟପାଠରେ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.