ହାଇୱା ଗାଡି ଧକ୍କାରେ ଦୁଇ କିନ୍ନରଙ୍କ ମୃତ୍ୟୁ : ହତ୍ୟା ସନ୍ଦେହ

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ସୁନ୍ଦରଗଡ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର ଲହୁଣୀପଡା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ ରାସ୍ତାର ବଡ଼ ପୁରୁଣାପାଣି ଛକ ନିକଟରେ ଏକ ହାଇୱା ଗାଡିଟି ସ୍କୁଟିରେ ବସିଥିବା ଦୁଇ କିନ୍ନରଙ୍କୁ ଧକ୍କା ଦେବାରୁ ଉଭୟଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଦ୍ବୟ ହେଲେ କେନ୍ଦ୍ରିକଳା ଗ୍ରାମର ରାଜା ପାତ୍ର ବଣ୍ଡଡିହ ଗ୍ରାମର ବାସିନ୍ଦା ରଥ କିଷାନ । ଗତ କାଲି ରାତ୍ରି ପ୍ରାୟ ୨ ଟା ୩୦ ସମୟରେ ଓଡି ୧୪ ଟି ୩୦୨୫ ନଂ ବିଶିଷ୍ଟ ୧୨ ଚକିଆ ହାଇଓ୍ବା ଗାଡ଼ିଟି ଓଡି ୧୪ ଓ୍ବାଇ ୭୫୪୮ ନଂ ବିଶିଷ୍ଟ ସ୍କୁଟିକୁ ଧକ୍କା ଦେଇ ଚଢିଯିବା ଫଳରେ ସ୍କୁଟି ଆରୋହୀ ଦ୍ବୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । କିନ୍ନର ରଥ କିଷାନ ଓ ରାଜା ପାତ୍ର ପ୍ରତ୍ୟେକ ଦିନ ଭଳି ମାଗିବା ପାଇଁ ବାଇପାସ୍ ଯାଇଥିଲେ ହେଲେ ଜଣେ ଗାଡି ଚାଳକ ସହ ବଚସା ହୋଇଥିଲା ତାପରେ ରଥ ଓ ରାଜା ସେଠାରୁ ପଳାଇ ଯାଇଥିଲେ। କିନ୍ତୁ କ୍ରୋଧ ଯାଇ ନ ଥିଲା ଗାଡି ଚାଳକର । ତେଣୁ ପୁନଶ୍ଚ ବିଳମ୍ବିତ ରାତିରେ ଘରକୁ ଫେରିବା ବେଳେ ସେଇ ହାଇଓ୍ବା ଗାଡି ଦ୍ରୁତ ଗତିରେ ଆସି ସ୍କୁଟିରେ ବସିଥିବା ଦୁଇ କିନ୍ନରଙ୍କୁ ପଛରୁ ଧକ୍କା ଦେଲା ଯାହାଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା। ତେବେ ଧକ୍କା ଦେଇ ଘଟଣାସ୍ଥଳରୁ ହାଇୱା ଗାଡି ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି।ଲହୁଣୀପଡ଼ା ପୋଲିଶ ଦୁର୍ଘଟଣାଗ୍ରସ୍ତ ଗାଡି ଦ୍ବୟ ସହିତ ଶବ ଦ୍ବୟଙ୍କୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.