ଆଡ୍ଡାସ୍ଥଳୀ ପାଲଟିଛି ଜିଲ୍ଲା ପର୍ଯ୍ୟଟନ କାର୍ଯ୍ଯାଳୟ

ନିର୍ମାଣ ହେବା ପରେ ଗତ ପ୍ରାୟ ୩ ବର୍ଷ ଧରି ଅବ୍ଯବହୃତ ଅବସ୍ଥାରେ ପଡିରହିବା ଫଳରେ କୋରାପୁଟ ଜିଲ୍ଲା ପର୍ଯ୍ୟଟନ ଅଫିସ ଏବେ ଅପରାଧୀମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ୫ ଦିନ ତଳେ ଅବଦୁଲ ମାନ୍ନା ନାମକ ଉତ୍ତର ପ୍ରଦେଶର ଜଣେ ବ୍ଯକ୍ତିଙ୍କୁ ସ୍ଥାନୀୟ କଫିବୋର୍ଡ ପାଖ ରାସ୍ତା ଉପରୁ ଅପହରଣ କରି ଦୁର୍ବୃତ୍ତମାନେ ଏଠାରେ ମୁଣ୍ଡ ଜାମିନରେ ଅଟକ ରଖିଥିଲେ, କୋରାପୁଟ ଜେଲରେ ବନ୍ଦୀ ହୋଇଥିବା ନିଜର ଜଣେ ସମ୍ପର୍କୀୟଙ୍କୁ ଜାମିନରେ ଖଲାସ କରିବାକୁ ଶ୍ରୀ ମାନା କୋରାପୁଟ ଆସିଥିଲେ। ପରେ ପୋଲିସ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲା।

୨୦୧୭ ମସିହାରେ ଓଡିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ପକ୍ଷରୁ ୫୦ ଲକ୍ଷ ଟଙ୍କା ବ୍ଯୟ ଅଟକଳରେ ଏହି କାର୍ଯ୍ଯାଳୟ ନିର୍ମାଣ କାର୍ଯ୍ୟ ଏକ ବେସରକାରୀ ସଂସ୍ଥାକୁ ଦିଆଯାଇଥିଲା। ଯଦିଓ ଏହାର ନିର୍ମାଣ କାର୍ଯ୍ୟ ୨୦୧୯ ମସିହାରେ ସମ୍ପୂର୍ଣ୍ଣ ହୋଇଛି, ଅଦ୍ୟାବଧି ଏହି ଗୃହକୁ ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରାଯାଇନାହିଁ।

ଏସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତରଲିନା ପ୍ରଧାନ କହିଛନ୍ତି ଯେ କାର୍ଯ୍ଯାଳୟ ଗୃହ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ବିଦ୍ଯୁତସଂଯୋଗ କାମ ଅଳ୍ପ ବାକି ଅଛି, ଓଟିଡିସି ସେସବୁ କାର୍ଯ୍ୟ ଯଥାଶୀଘ୍ର ଶେଷକରି ଏହାକୁ ଆମକୁ ହସ୍ତାନ୍ତର କରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.