ଭୁବନେଶ୍ୱର: ରାଜ୍ୟରେ ରାସ୍ତାରୁ ହଟିବ ୨୦ଲକ୍ଷରୁ ଅଧିକ ଗାଡି। ସ୍କ୍ରାପ୍ ହେବ ୨୦ଲକ୍ଷ ୩୯ ହଜାର ୫୦୦ ଗାଡ଼ି। ୧୫ ବର୍ଷରୁ ଅଧିକ ସମୟର ଫିଟ୍ନେସ ନ ଥିବା ଗାଡ଼ିଗୁଡ଼ିକୁ ସ୍କ୍ରାପ୍ କରାଯିବ। ଏଥିରେ ସର୍ବାଧିକ ୧୨ ଲକ୍ଷ ୯୯ ହଜାର ୩୫୧ଟି ମୋଟର ସାଇକେଲ ଓ ସ୍କୁଟର ରହିଥିବା ଜଣାଯାଇଛି। ଆଜି ବିଧାନସଭାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ତଥ୍ୟ ଦେଇଛନ୍ତି। ବିଜେପି ବିଧାୟକ କୁସୁମ ଟେଟେଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଟୁକୁନି ସାହୁ ଏହା କହିଛନ୍ତି।
ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୮୦ ଲକ୍ଷ ୨୦ ହଜାର ୫୦୦ ଗାଡ଼ିର ଫିଟ୍ନେସ୍ ରହିଛି। ଫିଟ୍ନେସ୍ ନଥିବା ଗାଡ଼ି ଗୁଡ଼ିକୁ ସ୍କ୍ରାପିଂ ପାଇଁ ରାଜ୍ୟ ସରକାର ସ୍କ୍ରାପ୍ ପଲିସି ୨୦୨୨ ପ୍ରଣୟନ କରିଛନ୍ତି।
ଏ ଅବସରରେ ମନ୍ତ୍ରୀ ରାଜ୍ୟରେ ଘଟୁଥିବା ସଡ଼କ ଦୁର୍ଘଟଣା ସଂପର୍କିତ କିଛି ତଥ୍ୟ ଉପସ୍ଥାପନ କରିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ୨୦୨୧ ମସିହାରେ ସର୍ବଭାରତୀୟ ସ୍ତରରେ ସଡ଼କ ଦୁର୍ଘଟଣା ପୂର୍ବବର୍ଷ ତୁଳନାରେ ୧୨.୬୪% ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା ୧୬.୦୯%କୁ ବଢିଛି। ରାଜ୍ୟରେ ୨୦୨୧ ମସିହାରେ ପୂର୍ବବର୍ଷ ତୁଳନାରେ ସଡ଼କ ଦୁର୍ଘଟଣା ଓ ତତ୍ଜନିତ ମୃତ୍ୟୁସଂଖ୍ୟାର ବୃଦ୍ଧି ହାର ଯଥାକ୍ରମେ ୧୧.୮୯% ଓ ୭.୦୪% ରହିଛି, ଯାହାକି ସର୍ବଭାରତୀୟ ସ୍ତରଠାରୁ କମ୍। ରାଜ୍ୟରେ ମଦ୍ୟପାନ ପାଇଁ ଘଟୁଥିବା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ସମୁଦାୟ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାର ୧.୬୩% ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।