ଯାତ୍ରୀ ସୁରକ୍ଷାରେ ଚରମ ଅବହେଳା ପାଇଁ ଇସ୍ତଫା ଦିଅନ୍ତୁ ରେଳମନ୍ତ୍ରୀ : ବିଜୟ ପଟ୍ଟନାୟକ

ବାଲେଶ୍ଵରର ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଭୟାବହ ରେଳ ଦୁର୍ଘଟଣା ସ୍ଥଳୀ ପରିଦର୍ଶନ କରି ଫେରିବା ପରେ ରାଜ୍ୟ କଂଗ୍ରେସ ନେତା ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ ଆଜି ସାମ୍ବାଦିକମାନଙ୍କୁ କହିଛନ୍ତି ଯେ କେବଳ ନୈତିକତା ଦୃଷ୍ଟିରୁ ନୁହେଁ, ରେଳସେବାରେ ଗୁରୁତର ଅବହେଳା ପାଇଁ ରେଳମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବା ଦରକାର। ଉଦ୍ଧାର କାର୍ଯ୍ୟରେ ଅକ୍ଷମଣୀୟ ବିଳମ୍ବ ପ୍ରସଙ୍ଗ ଅବତରଣା କରି ସେ କହିଲେ ଯେ ଦୁର୍ଘଟଣାର ୨୪ ଘଣ୍ଟା ପରେ ତାଙ୍କ ଆଖି ଆଗରେ ଗୋଟିଏ ବଗିରୁ ୨୦ଟି ମୃତଦେହ ବାହାର କରାଗଲା – ମୃତଯାତ୍ରୀଙ୍କ ଶବ ଓ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯିବାରେ ଏତେ ବିଳମ୍ବର କାରଣ ସମ୍ପର୍କରେ କୈଫିୟତ ଦିଅନ୍ତୁ ରେଳମନ୍ତ୍ରୀ, କାରଣ ଏହି ବିଳମ୍ବ ପାଇଁ ହୁଏତ ବହୁ ଆହତ ଯାତ୍ରୀଙ୍କର ମୃତ୍ୟୁ ହୋଇଥାଇ ପାରେ !

ରେଳ ବିଭାଗରେ ଯାତ୍ରୀ ସୁରକ୍ଷାରେ ଅବହେଳାକୁ ନେଇ ପାର୍ଲିଆମେଣ୍ଟାରି କମିଟି ଓ ସିଏଜି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ଯାତ୍ରୀ ସୁରକ୍ଷା ପାଇଁ ଯେତିକି କର୍ମଚାରୀ ରହିବା କଥା, ସେଥିମଧ୍ୟରୁ ୮୦ ଭାଗ ପଦବୀ ଖାଲି ପଡିଛି, ସରକାର ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଚିନ୍ତିତ ନୁହନ୍ତି, ସେମାନେ କେବଳ ନିଜ ପ୍ରଚାର କାର୍ଯ୍ୟରେ ବ୍ଯସ୍ତ ଅଛନ୍ତି !

ଏହି ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ କରାଯିବ ବୋଲି ରେଳମନ୍ତ୍ରୀଙ୍କ ଘୋଷଣା ଉପରେ ପ୍ରଶ୍ନ ଉଠାଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହା ପଛରେ କଣ କିଛି ଅପରାଧିକ ଷଡଯନ୍ତ୍ର ଅଛି କି – ନହେଲେ ଶ୍ରୀ ବୈଷ୍ଣବ ସିବିଆଇ ତଦନ୍ତ କଥା କାହିଁକି କହୁଛନ୍ତି !!

Leave A Reply

Your email address will not be published.