ଅର୍ଦ୍ଧ ନିର୍ମିତ ପରିତ୍ୟକ୍ତ ଗୃହ ପରିସରରୁ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସଂଜୀବ କୁମାର ପାଢୀ : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଗୋବିରା ଅଞ୍ଚଳରେ ଥିବା ୧୪୩ ନଂ ଜାତୀୟ ରାଜପଥ ସନ୍ନିକଟ ଅର୍ଦ୍ଧ ନିର୍ମିତ ପରିତ୍ୟକ୍ତ ଗୃହ ପରିସରରୁ ମିଳିଛି ଏକ ମୃତ ଶରୀର । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ । ମୃତକ ଜଣକ ଜମୁନାନାକୀ ଅଞ୍ଚଳର ବାସିନ୍ଦା ଅମର ଯାଦବ ବୋଲି ଜଣାପଡିଛି। ସେ ଗୋବିରା ଅଞ୍ଚଳରେ ପୂର୍ବରୁ ଜମି କିଣିଥିଲେ । ଏବେ ସେଠାରେ ଘର ତିଆରି କରୁଥିବାରୁ ପ୍ରତ୍ୟହ ସେଠାକୁ ଆସନ୍ତି । ତାଙ୍କର ମୃତ ଶରୀର ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ କୁଆଁରମୁଣ୍ଡା ଫାଣ୍ଡି ପୋଲିଶକୁ ସୂଚନା ଦେଇଥିଲେ । ଘଟଣା ବିଷୟରେ ଅବଗତ ହେବାପରେ ପୋଲିଶ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ବାସିନ୍ଦା ହତ୍ୟା ହୋଇଥିବା ନେଇ ଅନୁମାନ କରୁଛନ୍ତି । ସାଇଣ୍ଟିଫିକ ଦଳ ପହଞ୍ଚି ଘଟଣାସ୍ଥଳକୁ ଭଲଭାବେ ଯାଞ୍ଚ କରିବା ପରେ ଘଟଣା ବିଷୟରେ କିଛି ଜଣାପଡିବାର ଆଶା କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମସ୍ତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଫାଣ୍ଡି ଅଧିକାରୀ ମତବ୍ୟକ୍ତ କରିଛନ୍ତି । କାହିଁକି ଓ କିପରି ଘଟିଲା ଏହି ଘଟଣା ତାହା ତଦନ୍ତ ସାପେକ୍ଷ । ସନ୍ଧ୍ୟା ପରେ ଘଟିଥିବା ଘଟଣାର ଓ ଅଞ୍ଚଳଟି ସଂପୂର୍ଣ୍ଣ ଅନ୍ଧକାର ଥିବାରୁ ସଠିକ୍ ତଥ୍ୟ ସଂଗ୍ରହ ହୋଇ ପାରି ନ ଥିଲା।

Leave A Reply

Your email address will not be published.