ଗୁଳିମାଡରେ ନବ ଦାସଙ୍କ ନମ୍ବର ୬

ଓଡ଼ିଶାର ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଆତତାୟୀର ଗୁଳିମାଡ ଘଟଣା ଓଡ଼ିଶାରେ ରାଜନୈତିକ ନେତାଙ୍କ ଉପରେ ଗୁଳିମାଡର ପ୍ରଥମ ଘଟଣା ନୁହେଁ, ଆଗରୁ ୫ ଜଣ ରାଜନେତାଙ୍କୁ ହତ୍ୟା କରିବା ପାଇଁ ଗୁଳିମାଡ଼ ହୋଇଛି। ନବ ଦାସ ହେଉଛନ୍ତି ୬ ନମ୍ବର ରାଜନେତା !
୨୦୧୧ ମସିହା ସେପ୍ଟେମ୍ବର ୨୪ ତାରିଖରେ ଉମରକୋଟ ବିଧାୟକ ଜଗବନ୍ଧୁ ମାଝି ରାଇଘର ବ୍ଲକର ଗୋନା ଗ୍ରାମରେ ଆଦିବାସୀମାନଙ୍କୁ ଜମିପଟ୍ଟା ବଣ୍ଟନ କରି ଫେରୁଥିବା ବେଳେ ନକ୍ସଲମାନେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରି ତାଙ୍କୁ ହତ୍ୟା କରିଥିଲେ, ଏହି ଗୁଳିକାଣ୍ଡରେ ମାଝିଙ୍କ ସୁରକ୍ଷା କର୍ମୀ ପ୍ରଶାନ୍ତ ପାତ୍ରଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।

ଆତତାୟୀ ଗୁଳିକାଣ୍ଡର ଶୀକାର ହୋଇଥିବା ଅନ୍ଯତମ ଉଦାହରଣ ହେଉଛନ୍ତି ବରିଷ୍ଠ ବିଜେଡି ନେତା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି – ଅବଶ୍ୟ ସେ ବଞ୍ଚି ଯାଇଥିଲେ !

୨୦୧୪ ଫେବୃଆରୀ ୨୨ ତାରିଖରେ ନିଜ ପୁରୀ ସହରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ୨ଜଣ ଦୁର୍ବୃତ୍ତ ମୋଟରସାଇକେଲରେ ଆସି ତାଙ୍କ ଘର ପାଖରେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ, ଗୁଳି ତାଙ୍କ ହାତରେ ବାଜିବା ଯୋଗୁଁ ସେ ମୃତ୍ୟୁମୁଖରେ ନପଡି ବଞ୍ଚି ଯାଇଥିଲେ।

ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଉପରେ ଗୁଳିମାଡ଼ ଆକ୍ରମଣ ହୋଇଥିଲା ୨୦୦୯ ଅକ୍ଟୋବର ୧୩ ତାରିଖ ଦିନ, ସେତେବେଳେ ସେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ଥିଲେ। ବଙ୍ଗଳା ଓଡିଶା ସୀମାବର୍ତ୍ତି ଶୁଳିଆପଦାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ବେଆଇନ ଘୋଷିତ ଲାଲ ବାହିନୀ ପକ୍ଷରୁ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା, ଏଥିରୁ ସେ ବଞ୍ଚିଯାଇଥିଲେ, ମାତ୍ର ୩ ଜଣ ଜବାନ ଶହୀଦ ହୋଇଥିଲେ।

ବିଜେଡିର ତରୁଣ ତୁର୍କ ନେତା ଓ ବର୍ତ୍ତମାନର ମନ୍ତ୍ରୀ ଟୁକୁନୀ ସାହୁଙ୍କ ସ୍ଵାମୀ ଅଭିମନ୍ୟୁ ସାହୁଙ୍କ ନିର୍ମମ ହତ୍ଯାକାଣ୍ଡ ଘଟିଥିଲା ୨୦୧୨ ମସିହା ଡିସେମ୍ବର ୧୫ ତାରିଖ ସକାଳେ ଟିଟିଲାଗଡ଼ ବନ୍ଧୁପାଳ ଠାରେ।

ସେହିପରି ଚମ୍ପୁଆର ପୂର୍ବତନ କଂଗ୍ରେସ ବିଧାୟକ ଧନୁର୍ଜୟ ସିଦ୍ଧୁଙ୍କ ଉପରେ ୨ ଜଣ ମୋଟରସାଇକେଲ ଆରୋହୀ ଦୁର୍ବୃତ୍ତ ୨୦୦୭ ଫେବୃଆରୀ ୨୬ ତାରିଖ ଦିନ ଗୁଳିମାଡ କରିଥିଲେ, ସୌଭାଗ୍ଯ ବଶତଃ ଶ୍ରୀ ସିଦ୍ଧୁ ଗୁଳିମାଡ଼ରୁ ବର୍ତ୍ତି ଯାଇଥିଲେ।

Leave A Reply

Your email address will not be published.