ଭଞ୍ଜ ମାଟି ଓଡ଼ିଆ ସାହିତ୍ୟର ଏନ୍ତୁଡି ଶାଲ : ସୌମ୍ୟରଞ୍ଜନ ପଟ୍ଟନାୟକ

ଭଞ୍ଜନଗର (ଆଶିଷ କୁମାର ଗୌଡ଼) : ଭାଷା ସାହିତ୍ୟର ସୁରକ୍ଷା ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ସହ ଏକ ଭବିଷ୍ୟତ ପିଢିକୁ ଭାଷା ସାହିତ୍ୟରେ ରୁଚି ସୃଷ୍ଟି କରିବା ଲକ୍ଷ୍ୟ ନେଇ ରାଜ୍ୟର ପ୍ର​ତିକୋଣ ଅନୁକୋଣରେ ‘ସାହିତ୍ୟ ଘର’ ଗଠନର ପରିକଳ୍ପନା କରାଯାଇଥିଲା ଆଉ ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ତାର ପ୍ରକୃଷ୍ଟ ଉଦାହରଣ ବୋଲି ଭଞ୍ଜନଗର ସମ୍ବାଦ ସାହିତ୍ୟ ଘରର ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବାଦ ସମ୍ପାଦକ ତଥା ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ନିଜର ଖଡି ଛୁଆଁ ଏହି ଭଞ୍ଜ ମାଟିରେ ହୋଇଥିବା ସହ ଏହି ଠାରୁ ହିଁ ଅକ୍ଷର ଲେଖିବା ମୋର ଆରମ୍ଭ ହୋଇଥିବା କହି ସେ ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ। ଏଥିରେ ବିଶିଷ୍ଟ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ମେଜର ଡ଼.ରମା ରମଣ ପାଢୀ ଯୋଗ ଦେଇ ଏହି ଘୁମୁସର ମାଟିରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କୁ ଜନ୍ମ ଦେଇଥିବା ବେଳେ ବିପ୍ଳବୀ ବୀର ଦୋରା ଓ ଚକାରା ବିଶୋୟୀଙ୍କୁ ଜନ୍ମ ଦେଇ ପୂଣ୍ୟ ଭୂମୀରେ ପରିଣତ ହୋଇଛି।ସେହିପରି ସମ୍ମାନିତ ଅତିଥି ଭାବେ ଉଚ୍ଚଶିକ୍ଷା ବିଭା​ଗର ଆଞ୍ଚଳିକ ନିର୍ଦ୍ଦେଶକ ଡ ସିଦ୍ଧାର୍ଥ ଶଙ୍କର ପାଢୀ ଯୋଗଦେଇ ସାହିତ୍ୟକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାରେ ସାହିତ୍ୟ ଘରର ବଳିଷ୍ଠ ଭୂମିକା ରହିଛି କହିଥିଲେ। ରାଜ୍ୟ ସଂଯୋଜିକା ଡ.ଶୁଭଶ୍ରୀ ଲେଙ୍କା ସମ୍ବାଦ ସାହିତ୍ୟ ଘର ଗୋଟିଏ ସୀମିତ ଅଞ୍ଚଳରେ ସୀମିତ ନରହି ସାରା ଓଡ଼ିଶା ସମ‌େତ ପଡୋଶୀ ରାଜ୍ୟରେ ମଧ୍ୟ ପହଞ୍ଚିଥିବା​ କହିଥିଲେ।

ସମ୍ବାଦ ସାହିତ୍ୟ ଘରର ସଭାପତି କୃତ୍ତିବାସ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ସନ୍ତୋଷ ଜେନା ବାର୍ଷିକ ବିବରଣୀ ପାଠ କରିବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପ୍ରାରମ୍ଭରେ ଦିବଙ୍ଗତ ସାହିତ୍ୟିକ ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ଏବଂ ମନ୍ତ୍ରୀ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ୨ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା। ସଙ୍ଗଠନ ସମ୍ପାଦକ ବିଶ୍ବମ୍ବର ଜେନା ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଅତିଥି ମାନଙ୍କୁ ମଞ୍ଚ ଆହ୍ବାନ କରିଥିବା ବ‌େଳେ ସହ ସମ୍ପାଦକ ଡ.ଗୁରୁମୂର୍ତ୍ତି ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁରେନ୍ଦ୍ର କୁମାର ଶତପଥୀ,କବି ଅଶୋକ ସାହୁ,ସଙ୍କର୍ଷଣ ତ୍ରିପାଠୀ ଓ ‘ବିପଦର ବନ୍ଧୁ’ ଅନଷ୍ଠାନକୁ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ। ଏଥିସହ କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ଉପଦେଷ୍ଟା ମନୁନନ୍ଦ ପତି,ଶୂଳପାଣି ଶତପଥୀ,ଜଗବନ୍ଧୁ ଜେନା,ସାଂସ୍କୃତିକ ସମ୍ପାଦିକା ରୀତାରାଣୀ ମହାପାତ୍ର,ଅଶୋକ ସ୍ବାଇଁ,କୋଷାଧ୍ୟକ୍ଷ ତ୍ରିନାଥ ​ବେହେରାଙ୍କ ସମେତ ସଦସ୍ୟ ବହୁ ସାହିତ୍ୟ ପ୍ରେମୀ,ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇଥିଲେ।

 

Leave A Reply

Your email address will not be published.