‘ଗାଁ ଆମ୍ବ ପସରା’ ମେଲିଲା ସହରରେ

ସଞ୍ଜୀବ କୁମାର ପାଢ଼ୀ : ରାଉରକେଲା ସହରବାସୀ ଚାଖିବେ ଗାଁ ଆମ୍ବର ସ୍ବାଦ। ଏଥିପାଇଁ ସ୍ଥାନୀୟ ରାଉରକେଲାର ଆମବାଗାନ ଠାରେ ମେଲିଛି ‘ଗାଁ ଆମ୍ବ ପସରା’। ଜିଲ୍ଲାପ୍ରଶାସନ, ଓରମାସ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ଏହା ଖୋଲାଯାଇଛି। ଏହି ଷ୍ଟଲକୁ ଜିଲ୍ଲା ପରିଷଦ ଅଧ୍ଯକ୍ଷ କୁନ୍ତି ପ୍ରଧାନ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରି ଉଦଘାଟନ କରିଛନ୍ତି। ଉଦଘାଟନ ସମୟରେ ଅନ୍ୟ ସମ୍ମାନୀୟ ଅତିଥି ଭାବରେ ଜିଲ୍ଲାପାଳ ଡାକ୍ତର ପରାଗ ବର୍ଷ ଗାଭାଲି, ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ଯ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ମନୋଜ ମହାଜନ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ଡିଏଫଓ ଯଶୋବନ୍ତ ସେଠୀ ଉପସ୍ଥିତ ଥିଲେ। ଉକ୍ତ ଅବସରରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି କହିଛନ୍ତି ଯେ ରାଉରକେଲା ସହରରେ ଲୋକଙ୍କୁ ଉଚିତ ଦାମରେ ଭଲ ଆମ୍ବ ଯୋଗାଇ ଦେବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ମିଶନ ଶକ୍ତିର ମା’ମାନେ ଏଥିରେ ଯୋଡ଼ି ହୋଇଥିବାରୁ ସେମାନଙ୍କ ସ୍ଥିତି ମଧ୍ୟ ସୁଦୃଢ଼ ହୋଇ ପାରିବ ବୋଲି କହିଛନ୍ତି । ‘ଗାଁ ଆମ୍ବ ପସରା’ରେ ମୋଟ ୧୩ ଟି ଷ୍ଟଲରେ ମିଳୁଥିବା ଆମ୍ବ ସୁନ୍ଦର ଗଡ ଜିଲ୍ଲା ବ୍ୟତୀତ କେନ୍ଦୁଝର, ରାୟଗଡ଼ା, ବହ୍ମପୁର ଜିଲ୍ଲା ର ବିଭିନ୍ନ ଅଞ୍ଚଳରୁ ଆସିଛି। ଏହି ଷ୍ଟଲରେ ଗ୍ରାମାଞ୍ଚଳରୁ ଅମଳ ହୋଇଥିବା ଭଳିକି ଭଳି ଆମ୍ବ ରହିଛି। ଲେଙ୍ଗଡା, ସୁନ୍ଦରୀ, ମଲ୍ଲିକା, ବାଇଗଣପଲେଇ, ଦସେରୀ ତଥା ହୀମସାଗର , ଆମ୍ରପାଲି, ବାଇଗଣଫଲି ଭଳି ଆମ୍ବ ଆଦି ଉପଲବ୍ଧ ରହିଛି। ଏହା ବ୍ୟତୀତ ଗୋଟିଏ ଷ୍ଟଲରେ ଉପରୋକ୍ତ ଫଳ ଆଦିରୁ ପ୍ରସ୍ତୁତ ସଦ୍ୟ ଫଳରସ ମଧ୍ୟ ଉପଲବ୍ଧ ରହିଥିବା ବେଳେ ଆମ୍ବ ଆଚାର ମଧ୍ଯ ଉପଲବ୍ଧ ରହିଛି। ୧୫ ତାରିଖ ପର୍ଯ୍ୟନ୍ତ ଏହି ଷ୍ଟଲ୍ ଖୋଲା ରହିବ। ଏହା ସକାଳ ୧୦ଟାରୁ ସଂଧ୍ଯା ୫ଟା ଯାଏଁ ଖୋଲା ରହିବ ବୋଲି କମିଟି ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.