ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର କୋଇଡା ଥାନା ଅନ୍ତର୍ଗତ କଳମଙ୍ଗ ଗ୍ରାମ ନିକଟ ମେଣ୍ଡାମାରୁଣୀ ଜଙ୍ଘଳରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି କୋଇଡା ପୋଲିଶ । କଳମଙ୍ଗ ଗ୍ରାମର ଦେବେନ୍ଦ୍ର ନାଏକଙ୍କ ସ୍ତ୍ରୀ ଗୁରା ନାଏକ (୫୮) ଗତ ମାସ ୨୭ ତାରିଖ ରବିବାର ସକାଳୁ ଘର କାମ ସାରି ଦିନ ୧୧ ଘଟିକା ସମୟରେ ନିକଟ ମେଣ୍ଡାମାରୁଣୀ ଜଙ୍ଘଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ । ଫେରିବାର ବିଳମ୍ବ ହେବାରୁ ସ୍ୱାମୀ ଦେବେନ୍ଦ୍ର ନାଏକ ଓ ଗ୍ରାମବାସୀ ଜଙ୍ଘଲକୁ ଯାଇ ଖୋଜାଖୋଜି କରି ପାଇ ନ ଥିଲେ । ଏ ନେଇ ସ୍ୱାମୀ ୩୧ ତାରିଖରେ କୋଇଡା ଥାନାରେ ଏତଲା ଦେଇଥିଲେ । ଶୁକ୍ରବାର ଗ୍ରାମବାସୀ ଜଙ୍ଗଲକୁ ଯାଇଥିବା ବେଳେ ଏକ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ପଡ଼ିଥିବା ଦେଖିଥିଲେ । ଖବର ପାଇ ପରିବାର ଲୋକେ ସେଠାରେ ପହଁଞ୍ଚି ଗୁରା ନାଏକଙ୍କ କପଡା ଦେଖି ଚିହ୍ନଟ କରିଥିଲେ । ଖବର ପାଇ କୋଇଡା ପୋଲିଶ ଘଟଣା ସ୍ଥଳରେ ପହଁଞ୍ଚି ଶବକୁ ଜବତ କରିବା ଶହ ଶବ ବ୍ୟବଚ୍ଛେଦ ପାଇଁ କୋଇଡା ମେଡିକାଲକୁ ପଠାଇଥିଲେ । ମହିଳାଙ୍କ ଶବର ଅଧିକାଂଶ ଅଂଶ ଜଙ୍ଘଲୀ ଜନ୍ତୁ ଖାଇଯାଇଥିବାରୁ ମହିଳାଙ୍କ ମୃତ୍ୟୁ କିପରି ହେଇଛି ତାହା ଜଣା ପଡ଼ୁ ନ ଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କୁହା ଯାଉଛି ।