ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ସୁନ୍ଦରଗଡ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର ଲହୁଣୀପଡ଼ା ଥାନା ଅନ୍ତର୍ଗତ ବଡ ତୁମକଳା ଗ୍ରାମ ନିକଟରେ ଅବସ୍ଥିତ ଥିବା ଭାସ୍କର ସ୍ପଞ୍ଜ ଆଇରନ କାରଖାନାରେ ପୁନଶ୍ଚ ଦୁର୍ଘଟଣା ଘଟି ପୁଣି ଜଣେ କର୍ମଚାରୀଙ୍କ ଜୀବନ ବିପନ୍ନ ହୋଇଥିବା ଜଣାପଡିଛି। ଆଜି ସକାଳ ସିଫ୍ଟ୍ ରେ ଗମଲେଇ ଗ୍ରାମର ଘନଶ୍ୟାମ ସାହୁ ( ଅଲେଖ) ପାୱାର ପ୍ଲାଣ୍ଟରେ କାମ କରୁଥିବା ବେଳେ ଅସାବଧାନତା ଯୋଗୁଁ ପାୱାର ପ୍ଲାଣ୍ଟ ସାଇଲୋରୁ ଖସି ପଡ଼ିଥିଲେ। ଫଳରେ ତାଙ୍କର ଗୋଟିଏ ଗୋଡ ସମ୍ପୂର୍ଣ୍ଣ ଭାବେ ଜଙ୍ଗ ତଳକୁ କଟି ଯିବା ଅବସ୍ଥାରେ ଅଛି। ଏହା ଦେଖି ସହକର୍ମୀ ମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଵଣାଇଁ ଡାକ୍ତରଖାନାକୁ ଆଣିଥିଲେ ମଧ୍ୟ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। କାରଖାନାରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ କର୍ତ୍ତୃପକ୍ଷ କର୍ମଚାରୀଙ୍କ ସୁରକ୍ଷା ପ୍ରତି ଆଦୌ ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି । ତା ସତ୍ବେ ମଧ୍ୟ ଶ୍ରମ ବିଭାଗ ପକ୍ଷରୁ କୌଣସି ପ୍ରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଫଳରେ କାରଖାନା କର୍ତ୍ତୃପକ୍ଷ ନିଜ ଇଚ୍ଛାରେ ଖାମଖିଆଲି ମନୋଭାବ ରଖି ଶ୍ରମିକ ମାନଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି। ବିଗତ ଏକ ବର୍ଷ ମଧ୍ୟରେ ବାରମ୍ବାର ଦୁର୍ଘଟଣା ଘଟି ଶ୍ରମିକଙ୍କ ଜୀବନ ଯାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇ ସବୁଦିନ ପାଇଁ ଦିଵ୍ୟାଙ୍ଗ ହୋଇ ଯାଇଥିବାର ନଜୀର ରହିଛି । ଗତ ସପ୍ତାହରେ ଡମ୍ପିଙ୍ଗୟାଡ ଉପରେ ଯାଇଥିବା ଉଚ୍ଚ ସମ୍ପର୍ଣ୍ଣ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁତର ଆହତ ହୋଇ ଜୀବନ ସହିତ ସଂଗ୍ରାମ କରୁଥିବାବେଳେ କାରଖାନାରେ ପୁଣି ଘଟିଛି ଅଘଟଣ। ତେଣୁ ବିଭାଗୀୟ ଅଧିକାରୀ ଏ ସମସ୍ତ ଦୁର୍ଘଟଣାକୁ ଗୁରୁତର ସହ ନେଇ ଶ୍ରମିକ ଓ କର୍ମଚାରୀମାନଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।