ଆୟଠାରୁ ଅତ୍ୟଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସହକାରୀ ଯନ୍ତ୍ରୀ

ସଞ୍ଜୀବ କୁମାର ପାଢ଼ୀ : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ହେମଗିରି ରେଞ୍ଜ ଅଞ୍ଚଳରେ କାର୍ଯ୍ୟରତ ଗ୍ରାମ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା କିଛି ବର୍ଷ ଚାକିରି ଭିତରେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଅନ୍ଧାରରେ ରଖି ଆୟ ସୀମା ଟପାଇ ଦେଇଥିବା ବେଳେ ଏବେ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ହୋଇ ଜେଲ ଯିବାଟା ସାର ହେଲା । କଥାରେ ଅଛି ଅଳପ ଧନ ଫଳେ ବହୁତ ଗଲା ବେଳେ ଯାଏ ମୂଳ ସହିତ । ସେହି ପରିପ୍ରେକ୍ଷୀରେ ସହକାରୀ ଯନ୍ତ୍ରୀ ମହାଶୟ ରାତାରାତି କରୋଡ ପତି ହେବା ପାଇଁ ଯାହା ଅନ୍ୟାୟରେ ଆଦାୟ କରିଥିଲେ ତାକୁ ଭୋଗ କରି ପାରିଲେନି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସଞ୍ଜୟ ବେହେରାଙ୍କ ସରକାରୀ ଘର ଓ କାର୍ଯ୍ୟାଳୟ ସମେତ ୭ ଟି ସ୍ଥାନରେ ଗତକାଲି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ଅନ୍ୟୁନ ୪ କୋଟିରୁ ଉର୍ଦ୍ଧ୍ବ ସମ୍ପତ୍ତିର ଆକଳନ କରିଥିବା ଜଣାପଡ଼ିଛି । ଏହାପରେ ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରି ଭିଜିଲାନ୍ସ କୋର୍ଟକୁ ନିଆଯାଉଛି। ଅନ୍ୟାୟରେ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶେଷରେ ଜେଲ ଯିବାଟା ସାର ହେଲା ।

ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ। ସଞ୍ଜୟ ବେହେରା ତାଙ୍କ ଆୟଠାରୁ ୩୩୩% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ ପକ୍ଷରୁ ସଞ୍ଜୟ ବେହେରାଙ୍କର ସୁନ୍ଦରଗଡ଼ ଓ ଭଦ୍ରକର ୭ଟି ଠିକଣାରେ ଚଢ଼ାଉ କରାଯାଇଥିଲା।ସଞ୍ଜୟ ବେହେରା ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଭଦ୍ରକ ସହରର ଜଗନ୍ନାଥପୁରରେ ଏକ ଦୁଇ ମହଲା କୋଠା ରହିଛି। ସେହିପରି ଭଦ୍ରକ ଜିଲ୍ଲା ବନ୍ତରେ ତାଙ୍କର ଗୋଟିଏ ଘର ରହିଛି ଯାହା ଏକ ମହଲା ବିଶିଷ୍ଟ।ତାଙ୍କର ଭଦ୍ରକ ଓ ଯାଜପୁରରେ ୨ଟି ପ୍ଲଟ ଅଛି। ଭଦ୍ରକ ସହରର ଜଗନ୍ନାଥପୁରରେ ଗୋଟିଏ ପ୍ଳଟ ଥିବା ବେଳେ ଯାଜପୁରର ଚନ୍ଦମା ମୌଜାରେ ଆଉ ଗୋଟିଏ ପ୍ଳଟ ଅଛି।ବ୍ୟାଙ୍କ, ଡାକଘର ଓ ବୀମା ଜମା ବାବଦକୁ ପାଖାପାଖି ୧ କୋଟି ୬୭ ଲକ୍ଷ ଟଙ୍କା ରଖିଛନ୍ତି ସଞ୍ଜୟ। ତାଙ୍କ ଘରୁ ୨୦୦ ଗ୍ରାମର ସୁନାଗହଣା ଜବତ କରାଯାଇଛି। ତାଙ୍କର ୨ଟି ଦୁଇ ଚକିଆ ଗାଡ଼ି ଥିବା ବେଳେ ୧୦ ଲକ୍ଷ ୫୦ ହଜାର ଟଙ୍କାର ଆସବାପତ୍ର ରହିଛି।

ଏହା ବ୍ୟତୀତ ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରା ତାଙ୍କର ଦୁଇ ଛୁଆଙ୍କ ଡାକ୍ତରୀ ପଢ଼ା ପାଇଁ ୮୧ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଯାଞ୍ଚ ବେଳେ ସେମାନେ ଏହି ତଥ୍ୟ ପାଇଥିଲେ।

Leave A Reply

Your email address will not be published.