ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ଭୌତିକ ଶାରୀରିକ ଚିକିତ୍ସା କେନ୍ଦ୍ର ଉଦଘାଟିତ

କେନ୍ଦ୍ରାପଡା (ଅନିରୁଦ୍ଧ ଦାସ) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା ଜିଲ୍ଲାରେ ବରିଷ୍ଠ ନାଗରିକଙ୍କ ପାଇଁ ଭୌତିକ ଶାରୀରିକ ଚିକିତ୍ସା କେନ୍ଦ୍ର କାକତିଆ ବଜାର, ଚାନ୍ଦୋଳ, କେନ୍ଦ୍ରାପଡା ଠାରେ ନିର୍ବାହକାରୀ ସଂସ୍ଥା ‘ଶ୍ରଦ୍ଧାଞ୍ଜଳି’ ଭୁବନେଶ୍ଵର ଦ୍ଵାରା ଉଦଘାଟିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ପୀତାମ୍ବର ସାମଲ ଓ ଡଃ ସଚ୍ଚି ମିଶ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ କରକମଳରେ ଏହାର ଉଦଘାଟନ କରାଯାଇଥିଲା । ଏହି ସଂସ୍ଥା ଦ୍ଵାରା ବରିଷ୍ଠ ନାଗରିକମାନଙ୍କୁ ମାଗଣାରେ ଭୌତିକ ଶାରୀରିକ ଚିକିତ୍ସା ପ୍ରଦାନ କରାଯିବ । ମାସକୁ ଅନ୍ତତଃ ୫୦ ଜଣ ବରିଷ୍ଠ ନାଗରିକ ଏହି ଚିକିତ୍ସା ସୁବିଧା ମାଗଣାରେ ପାଇପାରିବାର ବ୍ୟବସ୍ଥା କରାଯାଇଛି । ଏଥିସହ ଅନ୍ୟାନ୍ୟ ଚିକିତ୍ସାର ସୁବିଧା ମଧ୍ୟ ଏଠାରେ ଉପଲବ୍ଧ ଅଛି । କାର୍ଯ୍ୟକ୍ରମରେ ଚିକିତ୍ସା କେନ୍ଦ୍ରର ଉଦ୍ଦେଶ୍ୟ ଓ ବରିଷ୍ଠ ନାଗରିକଙ୍କ ପାଇଁ ଥିବା ସୁବିଧା ସୁଯୋଗ ବିଷୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଉପସ୍ଥିତ ଲୋକମାନଙ୍କୁ ଅବଗତ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସ୍ଵପ୍ନାଂଶୁ କୁମାର ଦାସ ଓ ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସୁପରିଚାଳନା କରିଥିଲେ ।

Leave A Reply

Your email address will not be published.