ପାରାଦୀପ ଉପରେ ଦେବାଶିଷଙ୍କ ଆଖି : ସମ୍ବିତ କହିଲେ ଆଗେ ନିଜକଥା ନିଜେ ସମ୍ଭାଳନ୍ତୁ ସାମନ୍ତରାୟ

୨୦୧୯ ନିର୍ବାଚନରେ ବାରବାଟୀ-କଟକ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମଙ୍କ ଠାରୁ ହାରିଯିବା ପରେ ଆଉଥରେ କଟକରୁ ଲଢିବା ପାଇଁ ସାହସ ଜୁଟାଇ ପାରୁନାହାନ୍ତି ବିଜେଡିର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଏବେ ସେ ଆଖି ପକାଇଛନ୍ତି ପାରାଦୀପ ବିଧାନସଭା ଆସନ ଉପରେ ! ଶ୍ରମିକ ଦିବସ ଅବସରରେ ଏକ କାର୍ଯ୍ୟକ୍ରମରେ ଶ୍ରୀ ସାମନ୍ତରାୟ ଦେଇଥିବା ଭାଷଣରୁ ତାଙ୍କର ଏପରି ଇଛା ଥିବାକଥା ଜଣା ପଡିଛି। ମାତ୍ର ସମ୍ପ୍ରତି ଦଳରେ କୋଣଠେସା ହୋଇରହିଥିବା ଦେବାଶିଷଙ୍କ ଏହି ଆଗ୍ରହକୁ ବିଜେଡି ସୁପ୍ରିମୋ କେତେ ଗୁରୁତ୍ୱ ଦେବେ, ତାହାକୁ ନେଇ ଗୁଞ୍ଜରଣ ସୃଷ୍ଟି ହୋଇଛି ! କଂଗ୍ରେସ ନେତା ନିତ୍ଯାନନ୍ଦ ସାମନ୍ତରାୟଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ କଂଗ୍ରେସରୁ ନିଜ କ୍ଯାରିଅର ଆରମ୍ଭ କରି ପରେ ବିଜେଡିରେ ଯୋଗଦେଇଥିଲେ, ମାତ୍ର ମୂଳରୁ ତାଙ୍କର ଆଚରଣ ଓ ଉଚ୍ଚାରଣକୁ ନେଇ ଦଳ ଭିତରେ ବାଦ ବିବାଦ ପ୍ରତିବାଦ ଦେଖାଦେଇଛି, ଏପରିକି ତାଙ୍କ ପରିବାରର ମହିଳା ସଦସ୍ୟା ମଧ୍ୟ ତାଙ୍କ ବିରୋଧରେ ସଂଗୀନ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ପାରାଦୀପରେ ଶ୍ରମିକ ଦିବସ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସମ୍ବିତ ରାଉତରାୟଙ୍କୁ ଟାର୍ଗେଟ କରି କଟାକ୍ଷ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି କାର୍ଯ୍ୟକ୍ରମରେ ନିଜ ପ୍ରତି ସ୍ଥାନୀୟ ଜନତାଙ୍କ ସମର୍ଥନ ଓ ଆଶୀର୍ବାଦ ଲୋଡ଼ିବା ସହ ସମ୍ବିତଙ୍କ ନେତୃତ୍ୱକୁ କଡ଼ା ସମାଲୋଚନା କରି ଦେବାଶିଷ କହିଥିଲେ ଯେ ଯେଉଁ ରାଜନୈତିକ ଇଚ୍ଛାଶକ୍ତି ପାରାଦୀପ ଅଞ୍ଚଳରେ ଦରକାର ତାହା ବର୍ତ୍ତମାନର ବିଧାୟକଙ୍କ ପାଖରେ ନାହିଁ। ନିଜକୁ ଏହି ମାଟିର ପୁଅ ଭାବେ ଅଭିହିତ କରି ସେ କହିଥିଲେ ଯେ ପାରାଦୀପର ବିଜେଡି ଲୋକମାନେ ଇଚ୍ଛା ପ୍ରକାଶ କଲେ ଏ ଅଞ୍ଚଳକୁ ନେତୃତ୍ୱ ଦେବାରେ ସେ ପଛାଇବେ ନାହିଁ !
ଅନ୍ୟ ପକ୍ଷରେ ଦେବାଶିଷଙ୍କ ଏଭଳି ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଜେଡି ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି ଯେ କଟକରୁ କଂଗ୍ରେସ ପାଖରୁ ଦୟନୀୟ ଭାବେ ପରାସ୍ତ ହୋଇଥିବା ଦେବାଶିଷ ପାରାଦୀପରେ ମୁଣ୍ଡ ଖେଳାଇବା ଏବଂ ଏଭଳି ମନ୍ତବ୍ୟ ଦେବା ନିନ୍ଦନୀୟ। ଏପରି ବାଚାଳତା ନକରି ଆଗେ ସେ ନିଜ କଥା ନିଜେ ସମ୍ଭାଳନ୍ତୁ ବୋଲି କହିଛନ୍ତି ସମ୍ବିତ ।

Leave A Reply

Your email address will not be published.