ଭୋଗରାଇରେ ଆଲୋଡ଼ନ, ନାବାଳିକା ଝିଅକୁ ବାହା ହେବାକୁ ପହଞ୍ଚିଲା ହରିୟାନା ଯୁବତୀ

ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳରେ ଜଣେ ଯୁକ୍ତ ଦୁଇ କଲେଜ ପଢ଼ୁଆ ୧୭ ବର୍ଷୀୟ ନାବାଳିକାକୁ ବିବାହ କରିବା ପାଇଁ ହରିୟାଣା ରାଜ୍ୟର ଜଣେ ୨୦ ବର୍ଷୀୟ ଯୁବତୀ ଆସି ନାବାଳିକାଙ୍କ ଘରେ ପହଞ୍ଚିବା ପରେ ସମଗ୍ର ଭୋଗରାଇରେ ଚାଞ୍ଚଲ୍ୟ ଖେଳି ଯାଇଛି। ସୂଚନା ମୁତାବକ, ଭୋଗରାଇ ଥାନା ଅଧିନ ଶଙ୍ଖାରୀ ଅଞ୍ଚଳର ଯୁକ୍ତ ଦୁଇରେ ପଢ଼ୁଥିବା ୧୭ ବର୍ଷୀୟ ନାବାଳିକାଙ୍କ ସହ ହରିୟାଣା ରାଜ୍ୟର ସନିପଥ ଅଞ୍ଚଳ ରାଜୁ ତାଜପୁର ଗାଁର କାଜଲ ନାମକ ଜଣେ ୨୦ବର୍ଷୀୟ ଯୁବତୀ ସହିତ ଫେସବୁକରୁ ଚିହ୍ନା ପରିଚୟ ହୋଇ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ କାଜଲ ବିବାହ କରି ଉକ୍ତ ନାବାଳିକାଙ୍କୁ ସାଥିରେ ନେଇ ଯିବା ପାଇଁ ହରିଆଣାରୁ ଟ୍ରେନ ଯୋଗେ ଦୀଘା ଆସି ଗୁରୁବାର ରାତିରେ ଶଙ୍ଖାରୀ ଗାଁରେ ପହଞ୍ଚି ବନ୍ଧୁ ବୋଲି ପରିଚୟ ଦେଇ ରହିଥିଲେ। ଶୁକ୍ରବାର ଉକ୍ତ ନାବାଳିକା କାଜଲ ସହିତ ବିବାହ କରିବା ପାଇଁ ଘରଛାଡ଼ି ପଳାଇଯିବା ବେଳେ ପରିବାର ଲୋକେ ଜାଣି ପାରି ଚନ୍ଦନେଶ୍ୱର ପୋଲିସ ଫାଣ୍ଡିକୁ ଖବର ଦେଇଥିଲେ। ଖବର ପାଇ ଫାଣ୍ଡି ଅଧିକାରୀ ବିଶ୍ୱନାଥ କର ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଫାଣ୍ଡିକୁ ଆଣି ପରିବାର ଲୋକଙ୍କ ସମ୍ମୁଖରେ ପଚରା ଉଚରା କରିଥିଲେ ଏବଂ ନାବାଳିକା ଯୁବତୀକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଅପରପକ୍ଷରେ ପୁଲିସ କାଜଲର ପରିବାର ଲୋକ ସହିତ ଯୋଗାଯୋଗ କରି ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ କାଜଲକୁ ବାଲେଶ୍ଵର ନାରୀ ସଂଘ ଆସିୟାନାକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.