ପାକିସ୍ଥାନର ଗାଦିଚ୍ୟୁତ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ୍ ଆରମ୍ଭ କରିଥିବା ‘ଆଜାଦି ଯାତ୍ରା’ ଆଜି ସକାଳେ ରାଜଧାନୀ ଇସ୍ଲାମାବାଦରେ ପହଞ୍ଚିବା ପରେ ସାରା ସହର ଏକ ପ୍ରକାର ରଣକ୍ଷେତ୍ରରେ ପରିଣତ ହୋଇଛି। ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ରାଜନୈତିକ ଗଣ ଶୋଭାଯାତ୍ରା ପଞ୍ଜାବ, କରାଚି ଓ ଲାହୋରରେ ଘମାଘୋଟ ପ୍ରତିକ୍ରିୟା ସୃଷ୍ଟି କରିସାରିଛି, ଇମ୍ରାନ ନିଜର ଶକ୍ତି ପ୍ରଦର୍ଶନ କରିବାରେ ସଫଳ ମଧ୍ୟ ହୋଇଛନ୍ତି। ଆଜାଦି ଯାତ୍ରା ଫଳରେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଓ ବ୍ୟାଙ୍କ ଏଟିଏମଗୁଡ଼ିକରୁ ଟଙ୍କା ଖାଲି ହୋଇଯାଇଛି।
ଯାତ୍ରା ଇସ୍ଲାମାବାଦରେ ପହଁଚିବା ପୂର୍ବରୁ ସୁପ୍ରିମ କୋର୍ଟ,ପ୍ରଧାନମନ୍ତ୍ରୀଙ୍କ ଆବାସ ଆଦି ରାଜଧାନୀ ନଗରୀର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକୁ ସୁରକ୍ଷା ଦେବା ପାଇଁ ସେନାବାହିନୀକୁ ମୁତୟନ କରାଯାଇଛି।ରାଜଧାନୀରେ ଆଜାଦି ଯାତ୍ରାକୁ ସମ୍ବୋଧିତ କରି ଇମ୍ରାନ କହିଛନ୍ତି ଯେ ତାଙ୍କ ଦ୍ୱାରା ଆହୁତ ଆଜାଦି ଯାତ୍ରା ଶାନ୍ତିପୂର୍ଣ୍ଣ ହୋଇଥିବା ବେଳେ ସରକାର ଏହା ବିରୋଧରେ ବଳ ଓ ହିଂସା ପ୍ରୟୋଗ କରୁଛନ୍ତି । ଆକ୍ରମଣରେ ତାଙ୍କ ଦଳର ୫ କର୍ମୀଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ କରି ଇମ୍ରାନ ଖାନ୍ କହିଛନ୍ତି ଯେ ଗତ ୨୪ ଘଣ୍ଟା ଭିତରେ ସେ ଯାହା ଦେଖୁଛନ୍ତି, ସେଥିରୁ ଜଣାପଡୁଛି ଯେ ସରକାର ଦେଶକୁ ହିଂସା ଓ ଆତଙ୍କର କୁଶାସନ ଭିତରକୁ ଟାଣି ନେଉଛନ୍ତି । ପାକିସ୍ଥାନ ସରକାରଙ୍କୁ ଚରମବାଣୀ ଶୁଣାଇ ଇମ୍ରାନ କହିଛନ୍ତି ଯେ ୬ଦିନ ଭିତରେ ନିର୍ବାଚନ ତାରିଖ ଘୋଷଣା କର, ନଚେତ ପୁଣିଥରେ ସେ ନିଜ ସମର୍ଥକଙ୍କ ସହ ଇସ୍ଲାମାବାଦ ଆସିବେ, ସେତେବେଳେ ପରିସ୍ଥିତି ଯାହା ହେବ ସେଥିପାଇଁ ସରକାର ଦାୟୀ ରହିବେ !