ଜଗତସିଂହପୁର : ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ରସଲପୁର ଗାଁରେ ନିଜ ପ୍ରେମିକାକୁ ଦେଖାକରିବାକୁ ଆସି ଫସିଯାଇଥିଲେ ନାବାଳକ ଜଣକ। ଫୁଲହାର ଅଞ୍ଚଳର ୧୭ ବର୍ଷୀୟ ଯୁକ୍ତ ୨ ଛାତ୍ର କୋଚିଂରୁ ଘରକୁ ଫେରୁଥିବା ବେଳେ ରସଲପୁର ସ୍ଥିତ ରାସ୍ତା ନିକଟରେ ପ୍ରେମିକାଙ୍କ ସହ କଥା ହେଉଥିବା ସମୟରେ ପାଖାପାଖି ୧୫ ଜଣ ଯୁବକ ସେଠାରେ ପହଞ୍ଚି ଉଭୟଙ୍କର ଫଟୋ ଓ ଭିଡିଓ ରେକର୍ଡିଂ କରିଥିଲେ । ଏହା ପରେ ସେମାନେ ଉଭୟଙ୍କୁ ବଳପୂର୍ବକ କ୍ଲବ ଘରକୁ ନେଇଯାଇ ସେଠାରେ ନାବାଳକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଏବଂ ତାଙ୍କଠାରୁ ମୋବାଇଲ, ଟଙ୍କା, ବାଇକ୍ ଚାବି ଛଡ଼ାଇ ନେଇଥିଲେ। ପରେ ଫୋନ୍-ପେ ରେ ୩୦୦୦ ଟଙ୍କା ପଠାଇବାକୁ ମାରଣାସ୍ତ୍ର ଦେଖାଇ ଧମକ ଦେଲେ । ନାବାଳକଟି ଡରିଯାଇ ୩ ହଜାର ଟଙ୍କା ପଠାଇଲାପରେ ଦୁର୍ବୁତ୍ତ ମାନେ ଆହୁରି ଅଧିକ ଟଙ୍କା ମାଗିଥିଲେ ଏବଂ ପ୍ରେମିକା ଜଣଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଫୋନରେ ହେଇଥିବା ରେକଡ଼ିଂ ଭାଇରାଲ୍ ନ କରିବାକୁ ମଧ୍ୟ ନାବାଳକ ଯୁବକମାନଙ୍କ ଗୋଡ଼ ଧରି କାକୁତିମିନତି ହୋଇଥିଲେ। ପ୍ରାୟ ୫୨୦୦ ଟଙ୍କା ଦେବା ପରେ ଯୁବକମାନେ ନାବାଳକଙ୍କୁ ଚାବି ଫେରାଇଥିଲେ। ହେଲେ ପରମୁହୂର୍ତ୍ତରେ ଯୁବକମାନେ ଭିଡିଓ ଭାଇରାଲ୍ କରିଦେଇଥିଲେ । ଶେଷକୁ ଉକ୍ତ ନାବାଳକ ଥାନାର ଦ୍ବାରସ୍ଥ ହେବା ସହ ଲିଖିତ ଅଭିଯୋଗ କରିବାରୁ ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ୫ ଜଣଙ୍କୁ ଗିରଫ କରିଛି । ଏ ମାମଲାରେ ଅନ୍ୟକିଛି ଯୁବକ ଫେରାର ଥିବାରୁ ଗିରଫଦାରି ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି।