ବିଜୟ ପ୍ରଧାନ : ଆଜି ଜିଲ୍ଲା କର୍ମନିୟୋଜନ ସଂସ୍ଥାନ ପକ୍ଷରୁ ରାଉରକେଲା ସହର ସ୍ଥିତ ଉଦିତନଗର କର୍ମନିୟୋଜନ ସଂସ୍ଥାନ ଠାରେ “ଓ୍ବାର୍ଲଡ ୟୁଥ୍ ସ୍କିଲସ୍ ଡେ” ପାଳିତ ହୋଇଯାଇଅଛି। ଏହି ଅବସରରେ ଜିଲ୍ଲାର ପ୍ରତ୍ୟେକ ଯୁବ ପ୍ରତିଭା ନିଜର ଗୁରୁତ୍ୱପୂର୍ଣ୍ଣ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ଯକ୍ରମରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେଥି ମଧ୍ୟରେ କୁଇଜ, ଡିବେଟ୍, ରଙ୍ଗୋଲୀ, ଆର୍ଟ ଏଣ୍ଡ କ୍ରାପଟ୍ କଳା ପ୍ରଦର୍ଶିତ ହୋଇଥିଲା। ପ୍ରତିଯୋଗୀମାନେ ଉତ୍ସାହର ସହିତ ସେମାନଙ୍କର କଳା କୌଶଳ ଏବଂ ଜ୍ଞାନ ଏହି ପ୍ରତିଯୋଗିତାରେ ପ୍ରଦର୍ଶନ କରିଥିଲେ। ଏଥିଯୋଗୁଁ ପରିବେଶଟି ଯୁବ ପ୍ରତିଭାଙ୍କର ଶକ୍ତି ଓ କ୍ଷମତାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଘଟଣାକ୍ରମରେ ଯୁବ ପ୍ରତିଭାଙ୍କର କାର୍ଯ୍ଯ କ୍ଷମତା ବାହାରକୁ ଆସିବା ସହିତ ସମାଜକୁ ଦିଗଦର୍ଶନ ଦେଇଥିଲା। ରାଉରକେଲା କର୍ମ ନିୟୋଜନ ସଂସ୍ଥାନ ପ୍ରତ୍ଯେକ ଯୁବ ବ୍ଯକ୍ତିତ୍ବର କାର୍ଯ୍ଯଦକ୍ଷତା ଓ ଉଜ୍ଜିବିତ ଭବିଷ୍ୟତର ବିକାଶ ନିମିତ୍ତ ଏହି ବିଶ୍ବ ଯୁବ ଦକ୍ଷତା ଦିବସ ପ୍ରତିଯୋଗିତାର ଆୟୋଜନ କରିଥିଲା। କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ରାଉରକେଲା ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଣବ କୁମାର ଜେନା, ସମ୍ମାନୀତ ଅତିଥି ଭାବରେ ରାଉରକେଲା ୟୁଜିଆଇର ଅଧ୍ଯକ୍ଷା ଶ୍ରୀମତୀ ପ୍ରଗତୀ ଦାସ, ଜିଲ୍ଲା ନିଯୁକ୍ତି ଅଧିକାରୀ ଜ୍ଯୋତିପ୍ରକାଶ ସେଠି ଓ ଅନ୍ଯତମ ନିଯୁକ୍ତି ଅଧିକାରୀ ରମେଶ ଚନ୍ଦ୍ର କିଶାନ ସେମାନଙ୍କର ପ୍ରେରଣା ପ୍ରଦାନକାରୀ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ଯକ୍ରମକୁ ସଫଳତାର ସହିତ କାର୍ଯ୍ଯାଳୟର ସମସ୍ତ କର୍ମଚାରୀଙ୍କ ସମେତ ଏମଜିଏନ୍ଏଫ୍ ମଧୁସ୍ମିତା ପ୍ରିୟଦର୍ଶିନୀ, ଓ୍ବାଇପି ଅବିନାଶ ପାଣିଗ୍ରାହୀ, କାଉନସେଲର୍ ପୁଷ୍ପାଞ୍ଜଳୀ ଦାସ ଓ ସମୀକ୍ଷା ପାଣି, ଜୁନିୟର କ୍ଲର୍କ ନମିତା ମାଝି ପରିଚାଳନା କରିଥିଲେ।