କାଲି ବିଧାନସଭାରେ ବିରୋଧୀ ବିଧାୟକମାନେ ମନ୍ତ୍ରୀ-ସଚିବଙ୍କ ଫଟୋ ଦେଖାଇ ସରକାରଙ୍କୁ ନିଶାନା କରି ରାଜ୍ୟରେ ଅମଲା ଶାସନ ଚାଲିଛି ବୋଲି ଅଭିଯୋଗ କରିଥିବା ବେଳେ ଅନ୍ଯପକ୍ଷରେ ୫ଟି ସଚିବଙ୍କ ନବରଙ୍ଗପୁର ଗସ୍ତବେଳେ ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ବବି ନିଜେ ସର୍କିଟ ହାଉସ କୋଠରୀର ବନ୍ଦ ଦରଜା ବାହାରେ ଛିଡାହୋଇ ଲୋକଙ୍କୁ ଭିତରକୁ ଛାଡ଼ିବା ପ୍ରସଙ୍ଗରେ ସରକାରୀ ଦଳକୁ ଟ୍ରୋଲ କରିଛନ୍ତି ବିରୋଧୀ ରାଜନୈତିକ ଦଳଗୁଡିକ ! ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ଯକ୍ତିଗତ ସଚିବ ଭି କେ ପାଣ୍ଡିଆନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଦୁଇ ବରିଷ୍ଠ ଅଧିକାରୀ ଆର.ଭିନିଲକ୍ରିଷ୍ଣା ଓ ରୂପାରୋଶନ ସାହୁ ମଧ୍ୟ ସାମିଲ ଥିଲେ। ସର୍କିଟ ହାଉସ ଭିତରେ ଆଇଏଏସ ଅଫିସରମାନଙ୍କ ଜନଶୁଣାଣି କାର୍ଯ୍ୟ ଚାଲିଥିବା ବେଳେ, ବିଧାନସଭାକୁ ୩ ଥର ନିର୍ବାଚିତ ହୋଇଥିବା ତଥା ପୂର୍ବରୁ ମନ୍ତ୍ରୀ ଥିବା ଦଳର ସାଙ୍ଗଠନିକ ସମ୍ପାଦକ ଏପରି ଦ୍ୱାରପାଳ ଭୂମିକା ନିର୍ବାହ କରିବାକୁ ପସନ୍ଦ କରିନାହାନ୍ତି ବିରୋଧୀ ଦଳ ନେତା ଓ ସମର୍ଥକମାନେ। ସେମାନେ ଏହାକୁ ବିଜେଡ଼ି ନେତାଙ୍କ ଅନୁଚିତ ବଶମ୍ବଦତା କହି କଟୁ ସମାଲୋଚନା କରିଛନ୍ତି।
ଏହି ପ୍ରସଙ୍ଗରେ ବିରୋଧୀଙ୍କୁ ଜବାବ ଦେବାକୁ ଯାଇ ଶ୍ରୀ ଦାସ କହିଛନ୍ତି ଯେ ନବରଙ୍ଗପୁରରେ ଏହି କାର୍ଯ୍ୟକ୍ରମର ଆୟୋଜନ ସେ କରିଥିଲେ, ଲୋକଙ୍କ ସୁବିଧା ଅସୁବିଧା କଥା ବୁଝି ସେସବୁର ସମାଧାନ କରାଯିବା ପାଇଁ ସେ ହିଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ନବରଙ୍ଗପୁର ନେଇ ଆସିଥିଲେ। ଏକଥା ବିରୋଧୀ ନେତାମାନେ ବୁଝି ପାରୁନାହାନ୍ତି ଓ ମଧ୍ୟଯୁଗୀୟ ସାମନ୍ତବାଦୀ ମନୋଭାବବଶତଃ ତାଙ୍କୁ ଦ୍ଵାରପାଳ କହୁଛନ୍ତି ବୋଲି ଦର୍ଶାଇଛନ୍ତି ବବି ! ପ୍ରଣବପ୍ରକାଶ ଆହୁରି ମଧ୍ୟ କହିଛନ୍ତି ଯେ ସରକାରଙ୍କ ଲକ୍ଷ୍ୟ ହାସଲ ପାଇଁ ଓ ଲୋକଙ୍କ କାମ କରିବାକୁ ସେ କ୍ରୀତଦାସ ହେବାକୁ ମଧ୍ୟ ପ୍ରସ୍ତୁତ।