ବିଜୟ ପଟ୍ଟନାୟକ ହେଲେ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ଯକ୍ଷ

୨ ମାସ ତଳେ କଂଗ୍ରେସରେ ଯୋଗ ଦେଇଥିବା ରାଜ୍ୟର ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକଙ୍କୁ ଦଳ ଦେଇଛି ବିଶେଷ ଗୁରୁତ୍ୱ, ଆଜି ଏଆଇସିସି ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଶ୍ରୀ ପଟ୍ଟନାୟକ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ହୋଇଛନ୍ତି।

ଦୁଇମାସ ତଳେ ଫେବ୍ରୁଆରୀ ୧୦ ତାରିଖରେ ଦିଲ୍ଲୀସ୍ଥିତ ଏଆଇସିସି କାର୍ଯ୍ୟାଳୟରେ ୧୯୭୬ ବ୍ୟାଚର ଏହି ପୂର୍ବତନ ଆଇଏଏସ୍ ଅଧିକାରୀ  କଂଗ୍ରେସରେ ଯୋଗଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ପଟ୍ଟନାୟକ ୨୦୦୪ରୁ ୨୦୧୦ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଓ ୨୦୧୦ ମସିହା ସେପ୍ଟେମ୍ବର ମାସରୁ ୨୦୧୩ରେ ଅବସର ନେବା ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟ ସଚିବ ଥିଲେ।

କଂଗ୍ରେସରେ ଯୋଗ ଦେବା ପରଠାରୁ ଶ୍ରୀ ପଟ୍ଟନାୟକ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ନେଇ କଠୋର ସମାଲୋଚନା କରୁଛନ୍ତି।

ଏହା ଛଡା ଏଆଇସିସି ପକ୍ଷରୁ ଗଠନ କରାଯାଇଥିବା ୨୭ ଜଣିଆ ରାଜନୈତିକ ବ୍ୟାପାର କମିଟିରେ ଦଳର ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ,ଭକ୍ତ ଦାସ, ଜୟଦେବ ଜେନା,ତାରା ପ୍ରସାଦ ବାହିନୀପତି,ଚିରଞ୍ଜୀବ ବିଶ୍ୱାଳ, ପଞ୍ଚାନନ କାନୁନଗୋ, ରାମଚନ୍ଦ୍ର ଖୁଣ୍ଟିଆ, ସୁଶିଳା ତିରିଆ, ସପ୍ତଗିରି ଉଲ୍ଲାକା ଓ ବିଧାୟକ ସନ୍ତୋଷ ସିଂହ ସାଲୁଜା ପ୍ରମୁଖଙ୍କ ସହିତ ବିଜୟ ପଟ୍ଟନାୟକ ମଧ୍ୟ ସଦସ୍ୟ ଅଛନ୍ତି।

Leave A Reply

Your email address will not be published.