କଳାହାଣ୍ଡି : ବର୍ଷା ଋତୁରେ ପୋଲ ନିର୍ମାଣ କାର୍ଯ୍ୟ ନକରିବା ପାଇଁ ସରକାରୀ ନିୟମ ରହିଥିବା ବେଳେ ଏହାର ଖୋଲାଖୋଲି ଉଲଂଘନ କରୁଛି ଗ୍ରାମ୍ୟ ଉନ୍ନୟନ ବିଭାଗ। ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ବନ୍ଧକନା ପଞ୍ଚାୟତ ଅଂଚଳରୁ । ସୂଚାନୁସାରେ ହାତୀ ନଦୀ ଉପରେ ଟେମରା ଓ କାଦୋପଦରର ସଂଯୋଗୀକରଣ ପାଇଁ ୮କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି । ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଏହାର ନିର୍ମାଣ କାର୍ଯ୍ୟ ସମ୍ପାଦନ କରାଯାଉଛି । 2016–17ରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦର ସିଂଦେଓଙ୍କ ସମୟରେ ବିଜୁ ସେତୁ ଯୋଜନା ଅନ୍ତର୍ଗତ ଏହି ପୋଲର ନିର୍ମାଣ କାର୍ଯ୍ୟ ଆରମ୍ବ ହୋଇଥିଲା । ଏହାର ନିର୍ମାଣ ଦାୟିତ୍ୱ ଏମ /ଏସ ମୁଣ୍ଡ କନଷ୍ଟ୍ରକସନ ପ୍ରା :ଲିଃ କୁ ଦିଆଯାଇଥିଲା । ତେବେ ବର୍ଷା ଦିନରେ ପୋଲ ନିର୍ମାଣ କାର୍ଯ୍ୟ ନକରିବା ପାଇଁ ନିୟମ ରହିଥିବା ସତ୍ୱେ କାମ ଚାଲୁଥିବା ବେଳେ ଏହାର ଛାତ ଦବି ଯାଇଥିବା ଦେଖିବାକୁ ମିଳିଛି । ଏନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ ଏହି ପୋଲର ନିର୍ମାଣ କାର୍ଯ୍ୟ ଉନ୍ନତମାନର ନୁହେଁ । ତେଣୁ ଏଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା । ଏ ସଂପର୍କରେ ଧର୍ମଗଡ଼ ବିଧାୟକ ମୋୖସଦି ବାଗଙ୍କୁ ପଚାରିବାରୁ ସେ କହିଥିଲେ ଯେ ସେ ବିଭାଗୀୟ ଅଧିକାରୀଙ୍କ ସହ କଥା ହୋଇଛନ୍ତି ଏବଂ ଖୁବଶୀଘ୍ର ଏହାର ମରାମତି କରିଦିଆଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶୃତି ଦେଇଛନ୍ତି ।