ଦୁଇ ନାବାଳିକାଙ୍କୁ ସ୍କୁଲ ଯିବା ବେଳେ ଅପହରଣ କରିଲେ ଦୁର୍ବୃତ୍ତ

ସୋର : ରାଜଧାନୀ ପରେ ଏବେ ବାଲେଶ୍ଵର ଜିଲ୍ଲା ସୋର ଥାନା ଅଞ୍ଚଳରେ ଦୁଇ ନାବାଳିକାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଦୁଇଜଣ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଦୁର୍ବୃତ୍ତ ମାନେ ସ୍କୁଲ ଯିବା ବାଟରୁ ଉଠାଇ ନେଇ ଦୁଇଦିନ ଧରି ଏକ ଲଜରେ ରଖି ବଳାତ୍କାର କରିଥିବା ନେଇ ପରିବାର ଲୋକ ଥାନାରେ ଏତଲା ଦେଇଛନ୍ତି।

ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ଦୁଇ ନାବାଳିକା ଛାତ୍ରୀ ମଙ୍ଗଳବାର ସାଙ୍ଗ ହୋଇ ସ୍କୁଲ ଯାଉଥିବା ବେଳେ ଦୁଇ ଜଣ ଯୁବକ ଏକ ବୋଲେରୋରେ ଆସି ସେମାନଙ୍କୁ ଅଟକାଇଥିଲେ। ପରେ ସେମାନଙ୍କୁ ଜବରଦସ୍ତି ଗାଡ଼ି ଭିତରକୁ ଉଠାଇ ନେଇ ସୋର ଅଞ୍ଚଳର ଏକ ଲଜରେ ରଖିଥିଲେ। ସେଠାରେ ନିଶା ଦେଇ ସେମାନେ ଝିଅମାନଙ୍କୁ ବଳାତ୍କାର କରିଥିଲେ।
ଅନ୍ୟପକ୍ଷରେ ଦୁଇ ନାବାଳିକା ମଙ୍ଗଳବାର ସ୍କୁଲକୁ ଯାଇ ଘରକୁ ନ ଫେରିବାରୁ ସେମାନଙ୍କ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ଖବର ନ ପାଇବାରୁ ଉଭୟଙ୍କ ମା’ ଏନେଇ ସୋର ଥାନା ଅଧୀନ ଅନନ୍ତପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ଦୁଇ ଦିନ ପରେ ଦୁଇ ନାବାଳିକା ଘରକୁ ଫେରିବା ପରେ ସେମାନଙ୍କୁ ବଳାତ୍କାର କରାଯାଇ ଥିବା କହିଛନ୍ତି। ପୋଲିସ ଏବେ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

Leave A Reply

Your email address will not be published.