କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ଓଡ଼ିଶାର ବିଜେଡି ସରକାରକୁ କହିଛନ୍ତି ଯେ, ଖୁବଶିଘ୍ର ରାଜ୍ୟରେ ଇଡି, ସିବିଆଇ ଚଢ଼ାଉ ହେବ ଆଉ ୨୦୨୩ ସୁଦ୍ଧା ରାଜ୍ୟରୁ ବିଜେଡି ସଫା ହୋଇଯିବ।
ବିଜେପିର ଗରିଲା ଆକ୍ରମଣକାରୀ ସୁନୀଲ ବଂଶଲଙ୍କୁ ରାଜ୍ୟରେ ଦଳର ରାଜନୈତିକ ବ୍ଯାପାର ପରିଚଳନା ଦାୟିତ୍ୱ ପ୍ରଦାନ କରାଯିବା ପରେ ଓ ତାଙ୍କର ଓଡିଶା ଗସ୍ତ ଶେଷ ହେବା ପରେ ପରେ ଶ୍ରୀ ଟୁଡୁ ଏପରି ଧମକପୂର୍ଣ୍ଣ ବାହାସ୍ଫୋଟ ମାରିଛନ୍ତି !
ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କର ଏକ ବୈଠକ ଡକାଇଥିଲେ ସେ ଓ ବୈଠକ ପରେ ଗଣମାଧ୍ୟମକୁ ପତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ କହିଲେ ଯେ ବର୍ଷକ ମଧ୍ୟରେ ରାଜ୍ୟରେ ବିଜେଡିକୁ ସଫା କରିଦିଆଯିବ !
ଉଲ୍ଲେଖଯୋଗ୍ୟ ଯେ ବଂଶଲଙ୍କ ଗସ୍ତ ପରେ ଓଡିଶାକୁ ୭ କେନ୍ଦ୍ରମନ୍ତ୍ରୀ ଗସ୍ତ କରି ସାରିଲେଣି।
ଟୁଡୁଙ୍କ ଏପରି ବିସ୍ଫୋରକ ବୟାନ ପରେ ବିଜେଡି ପକ୍ଷରୁ ଭିଜିଲାନ୍ସ, କ୍ରାଇମବ୍ରାଞ୍ଚ ଓ ଇଓଡବ୍ଲ୍ଯୁ ବିଜେପିର ଦୁର୍ନୀତିଗ୍ରସ୍ତ ଅପରାଧିକ ନେତାଙ୍କୁ କିପରି ସାବାଡ଼ କରାଯାଇ ପାରିବ ସେକଥା କହି ସତର୍କ କରାଇ ଦିଆଯାଇଛି।
ସ୍ମରଣଯୋଗ୍ୟ ଯେ ଗତ ଜାନୁଆରୀ ମାସରେ କେନ୍ଦ୍ରମନ୍ତ୍ରୀ ଟୁଡୁ ବାରିପଦାରେ ଜିଲ୍ଲା ଯୋଜନା ଓ କାର୍ଯ୍ଯାନ୍ଵୟନ ଉପନିର୍ଦ୍ଦେଶକ ଅଶ୍ଵିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କୁ ନିଜ ଦଳୀୟ କାର୍ଯ୍ଯାଳୟରେ ଭିତରୁ କବାଟ ବନ୍ଦକରି ମାଡ ମାରିଥିଲେ,ଏଥିରେ ଶ୍ରୀ ମହାପାତ୍ରଙ୍କ ହାତ ଭାଙ୍ଗି ଯାଇଥିଲା ଓ ଶ୍ରୀ ମଲ୍ଲିକ ଗୁରୁତର ଆହତ ହୋଇଥିଲେ।
ଏହାକୁ ନେଇ ତାଙ୍କ ବିରୋଧରେ ଥାନାରେ ମାମଲା ରୁଜ୍ଜୁ କରାଯାଇଥିଲା।