କେନ୍ଦ୍ରାପଡା (ଅନିରୁଦ୍ଧ ଦାସ) : କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ୨୦୧୮ ରୁ ୨୦୨୫ ମଧ୍ୟରେ ନିଶା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ନିବାରଣ, ଚିକିତ୍ସା ଓ ଥଇଥାନ ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କରାଯାଇଛି । ଏହାକୁ ଆଧାର କରି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶାରେ ଦଶ ଗୋଟି ଜିଲ୍ଲାରେ ଚଳିତ ବର୍ଷ ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହା ଅଧୀନରେ ୧୧ ରୁ ୧୮ ବର୍ଷର ଛାତ୍ର- ଛାତ୍ରୀ ଓ ସେମାନଙ୍କ ଅଭିଭାବକମାନଙ୍କୁ ସଚେତନ କରାଇ ନିଶା ନିବାରଣର ହାର କମାଇବା ପାଇଁ ତିନୋଟି ପର୍ଯ୍ୟାୟରେ ପ୍ରଶିକ୍ଷଣ କରାଇବାକୁ ନିଷ୍ପତି ହୋଛି ଯଥା : ୧. ନବଚେତନା-୧ ( ଶିକ୍ଷକଙ୍କ ସମ୍ପୃକ୍ତି), ୨. ନବଚେତନା-୨ ( ମାନବ ସମ୍ବଳର ପ୍ରଶିକ୍ଷଣ) ୩. ନବଚେତନା-୩ ( ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କର ପ୍ରଶିକ୍ଷଣ)
ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ନବଚେତନା-୧ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପିତାମ୍ବର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଈ ଶିବିରକୁ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରି ତାଙ୍କ ଅଭିଭାଷଣରେ ଏହି କ୍ଷେତ୍ରରେ ଶିକ୍ଷକମାନଙ୍କ ଭୂମିକା ଓ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦାଶଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଶିବିରରେ ସେ ସମସ୍ତଙ୍କୁ ସ୍ଵାଗତ କରିବା ସହ ଯୋଜନାର ଆଭିମୁଖ୍ୟ ଓ ସାମାଜିକ ସୁରକ୍ଷା ବିଭାଗରେ କେଉଁ-କେଉଁ କାର୍ଯ୍ୟ ହେଉଅଛି ତାହାର ଏକ ତଥ୍ୟଭିତ୍ତିକ ସୂଚନା ପ୍ରଦାନ କରିଥିଲେ ।
ଅନ୍ୟତମ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ଶୁଭଲକ୍ଷ୍ମୀ ନାୟକ ଶିକ୍ଷକଙ୍କ ସହଯୋଗ ଓ ଆନ୍ତରିକତା ବଳରେ ଏହି ଯୋଜନା ଜିଲ୍ଲାରେ ସହଜରେ କାର୍ଯ୍ୟକାରୀ ହୋଇପାରିବ ବୋଲି ମତ ରଖିଥିଲେ । ରାଜ୍ୟରୁ ଆସିଥିବା ସମ୍ବଳ ଅଧିକାରୀ ଡ. ନିବେଦିତା ମହାନ୍ତି ଜୀବନରେ ଦକ୍ଷତାର ଅବଶ୍ୟକତା ଓ ଶ୍ରୀ ବିଶ୍ଵରଞ୍ଜନ ଦାଶ ନିଶା ନିବାରଣ ପାଇଁ କିଭଳି ଭାବରେ ଶିକ୍ଷକ ମାନେ ପ୍ରଶିକ୍ଷଣ ଦେଇପାରିବେ ଓ ସମାଜକୁ ଏହାଠୁ ଦୂର କରିପାରିବେ ତାହା ଏକ ଦୃଶ୍ୟପଟ ମାଧ୍ୟମରେ ସୂଚନା ପ୍ରଦାନ କରିଥିଲେ ।
ଉକ୍ତ ପ୍ରଶିକ୍ଷଣ ଶିବିରରେ ପ୍ରତି ବ୍ଲକରୁ ୧ ଗୋଟି ଓ ମୁନସିପାଲିଟିରୁ ୧ ଗୋଟି ସ୍କୁଲ ସର୍ବମୋଟ ୧୦ ଟି ସ୍କୁଲରୁ ମୋଟ ୫୦ ଜଣ ଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଶିବିରର ଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ରୂପାଲି ପ୍ରିୟଦର୍ଶିନୀ ଧନ୍ୟବାଦ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ ।