କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ପଞ୍ଚାୟତ ଅନ୍ତର୍ଗତ ରଗଡ଼ା ସାହିରେ ଶିକ୍ଷକଙ୍କ ଉପରେ ହୋଇଛି ଆକ୍ରମଣ। ଗୁରୁତର ଆହତ ଶିକ୍ଷକ ଜଣକ ହେଉଛନ୍ତି ଛାମୁଣ୍ଡା ଗ୍ରାମର ଛବିଲାଲ ମହାକୁଡ଼, ସେ ରଗଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରନ୍ତି। ତାଙ୍କ ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି।
ମିଳିଥିବା ଖବର ଅନୁଯାୟୀ, ଗତକାଲି ରାତିରେ ଛବିଲାଲ ରଗଡ଼ା ନିକଟରେ ଥିବା ସତେଇଭଞ୍ଜ ଗାଁରେ ଯାତ୍ରା ଦେଖିବାକୁ ଯାଇଥିଲେ। ଅଧିକ ରାତି ହେବାରୁ ସେ ଘରକୁ ନ ଫେରି ବିଦ୍ୟାଳୟରେ ଶୋଇ ପଡ଼ିଥିଲେ। ରାତିରେ କେହି ଦୁର୍ବୃତ୍ତ କବାଟ ଭାଙ୍ଗି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଗ୍ରମବାସୀମାନେ ତାଙ୍କୁ ସ୍କୁଲ ବାହାରେ ଥିବା ଏକ ଗଛମୂଳରେ ବୋହୋସ ଅବସ୍ଥାରେ ପଡିଥିବାର ଦେଖି ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଛବିଲାଲଙ୍କୁ ଆକ୍ରମଣ ପଛର କାରଣ ଜଣା ପଡିନାହିଁ, ପୋଲିସ ଘଟଣାର ତଦନ୍ତ କରୁଛି।
