କଟକ ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ହାଇକୋର୍ଟ ଗତକାଲି ସାମୟିକ ଆଶ୍ଵସ୍ତି ପ୍ରଦାନ କରିଛନ୍ତି।
ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ଦେଇଥିବା ୩ ବର୍ଷ କାରାବାସ ଓ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଉପରେ ଓଡିଶା ହାଇକୋର୍ଟ ରହିତାଦେଶ ଲଗାଇଛନ୍ତି।
୨ ବର୍ଷରୁ ଅଧିକ ଜେଲ ଦଣ୍ଡ ହୋଇଥିବାରୁ ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ତାଙ୍କ ବିଧାୟକ ପଦ ରଦ୍ଦ ହୋଇଯିବା କଥା, ମାତ୍ର ହାଇକୋର୍ଟଙ୍କ ରହିତାଦେଶ ଫଳରେ ତାଙ୍କ ବିଧାୟକ ପଦ ଉପରେ ଥିବା ସଙ୍କଟ ସାମୟିକ ଭାବେ ଦୂରହୋଇଛି।
ଆସନ୍ତା ଫେବୃୟାରୀ ୨୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣା ପଡିଛି, ଅର୍ଥାତ ଅତିକମରେ ଆଗାମୀ ୪ ମାସ ପର୍ଯ୍ୟନ୍ତ ମୋକିମ ବିଧାୟକ ରହିବେ।
ଭିଜିଲାନ୍ସ କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୋକିମ । ଏହି ମାମଲାରେ ଗତ ୧୩ ତାରିଖରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ।
ଏହି ମାମଲାରେ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ପୂର୍ବତନ ଆଇଏଏସ୍ ଅଫିସର ବିନୋଦ କୁମାର, ମେଟ୍ରୋ ବିଲ୍ଡର୍ସର ଅନ୍ଯତମ ନିର୍ଦ୍ଦେଶକ ପିୟୂଷ ମହାନ୍ତି ଏବଂ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତି ରଞ୍ଜନ ମହାପାତ୍ରଙ୍କୁ ମଧ୍ୟ ସମାନ ଦଣ୍ଡାଦେଶ କରିଛନ୍ତି ।