ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର ଲହୁଣୀପଡ଼ା ତହସିଲ ଅଫିସର ଛାତରୁ ଖସି ପଡ଼ିଲା ସିଲିଂ। ସୌଭାଗ୍ୟବଶତଃ ସେହି ସମୟରେ ରେକର୍ଡ କିପର ଏବଂ ଅନ୍ୟ କର୍ମଚାରୀ ବାହାରକୁ ଯାଇଥିବାରୁ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। କିଛି ଦିନ ପୂର୍ବରୁ ରାଜସ୍ବ ନିରୀକ୍ଷକଙ୍କ କାର୍ଯାଳୟରୁ ମଧ୍ୟ ଏପରି ସିଲିଂ ଖସି ପଡିଥିଲା। ଲହୁଣୀପଡ଼ା ବ୍ଲକ ଜନସାଧାରଣଙ୍କ ଜମି ଜମା ସମ୍ୱନ୍ଧୀୟ ବହୁ ଗୁରୁତ୍ୱ ପୂର୍ଣ୍ଣ ଫାଇଲ ସବୁ ଏଠାରେ ଥିବା ବେଳେ ଛାତରୁ ପାଣି ଗଳୁଛି। ପାଣି ଗଳୁଥିବା ପାଖରେ ଫାଇଲ ସବୁ ଗଦା ହୋଇଛି। ବର୍ଷା ହେଲେ କର୍ମଚାରୀ ମାନଙ୍କୁ ଟେବୁଲ ଉପରେ ବାଲ୍ଟି ରଖି କାମକରିବାକୁ ପଡୁଛି। କମ୍ପ୍ୟୁଟର ରୁମରେ ମଧ୍ୟ ବର୍ଷା ହେଲେ ପାଣି ଗଳୁଛି । ଗତ ମେ ମାସରେ ତହସିଲ ଅଫିସ ଛାତର ଗ୍ରୀଡିଙ୍ଗ ହୋଇଥିଲା। ବର୍ଷେ ନ ପୂରୁଣୁ ଛାତରୁ ସିଲିଂ ଖସିବା କର୍ମଚାରୀଙ୍କ ମନରେ ଅସୁରକ୍ଷା ଭାବ ସୃଷ୍ଟି କରିଛି।