ଧାମନଗର ଉପନିର୍ବାଚନରେ ଲଜ୍ଜାକର ପରାଭବ ପାଇଛି ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ, ଭୋଟ ଗଣତିର ପ୍ରଥମ ରାଉଣ୍ଡରୁ ଶେଷ ଅଠର ରାଉଣ୍ଡ ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କୁ ପଛରେ ପକାଇ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସ୍ଥିତପ୍ରଜ୍ଞ ସୂରଜ ଯେପରି ଭାବରେ ଆଗକୁ ମାଡି ଚାଲିଥିଲେ, ତାହା ଶାସକ ଦଳର ଗର୍ବ ଓ ଅହମିକାକୁ ଚୁରମାର କରିଦେଇଛି। ରାଜେନ୍ଦ୍ର ଦାସ ଦେଖେଇଦେଲେ ଚାକରସୁଲଭ ରାଜନୀତିକ କର୍ମଚାରୀ ଓ ସ୍ୱାଭିମାନ ଥିବା ରାଜନୀତିକ ନେତାଙ୍କ ମଧ୍ୟରେ ପ୍ରଭେଦ କ’ଣ ! ଧାମନଗରରେ କେବଳ ସେହି ଅଞ୍ଚଳର ଅସନ୍ତୁଷ୍ଟ ବିଜେଡି ଲଢ଼ୁ ନଥିଲେ, ଓଡ଼ିଶାର ଅନ୍ୟ ଅଞ୍ଚଳର ବିଜେଡି ନେତାମାନେ ମଧ୍ୟ ପରୋକ୍ଷରେ ଦଳରେ ଚାଲୁଥିବା ‘ମାଇ ଉଇସ୍’ ମନୋଭାବ ବିରୋଧରେ ଗୋପନ ମଦତ ଯୋଗାଇଥିଲେ।
ଆମେ ଜାଣିବାରେ ଧାମନଗର ନିର୍ବାଚନ ଦାୟିତ୍ୱରେ ଥିବା ମନମୋହନ ସାମଲ ରାତି ୩ଟା ଯାଏ ଘରକୁ ଘର ବୁଲି ପ୍ରଚାର କରୁଥିବା ବେଳେ, ବିଜେଡିର ଭାରପ୍ରାପ୍ତ ନେତା ୫ ହଜାର ଟଙ୍କିଆ ହୋଟେଲ ରୁମରେ ରହି କାହାକୁ ଆୟତ୍ତ କରିବେ, କାହାକୁ କେମିତି କାବୁ କରିବେ – ସେହି ଯୋଜନା କରୁଥିଲେ।
ଏକଥା ସତ୍ୟ ଯେ ସୁରଜ ସୂର୍ଯ୍ଯବଂଶୀ ଥିଲେ ସମସ୍ତ ୫ ପ୍ରାର୍ଥୀଙ୍କ ମଧ୍ୟରେ ଯୋଗ୍ଯତମ। ସବୁ ରାଉଣ୍ଡରେ ଆଗରେ ରହି ଅବଶେଷରେ ସେ ବିଜେଡି ପ୍ରାର୍ଥିନୀଙ୍କୁ ୯ ହଜାର ୮୦୨ ଭୋଟରେ ପରାସ୍ତ କରି ଶାସକ ଦଳ ଛାତିରେ ଛନକା ଭରି ଦେଇଛନ୍ତି । ଡିସେମ୍ବର ୫ ତାରିଖରେ ହେବାକୁ ଥିବା ପଦ୍ମପୁର ଉପନିର୍ବାଚନକୁ ମଧ୍ୟ ଧାମନଗରର ଫଳାଫଳ ପ୍ରଭାବିତ କରିବାର ସମ୍ଭାବନା ସୃଷ୍ଟି ହୋଇଛି।