ବିଜୁ ଜନତା ଦଳର ଗଡ କୁହାଯାଉଥିବା ପୁରୀ ଜିଲ୍ଲ ନିମାପଡ଼ା ନିର୍ବାଚନମଣ୍ଡଳୀରେ ଗୋପ ବ୍ଲକ ଅନ୍ତର୍ଗତ ୧୧ ନମ୍ବର ଜୋନର ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାଗୀରଥି ସେନାପତିଙ୍କୁ ହରାଇ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ପ୍ରମୋଦ ରାୟ। ମନ୍ତ୍ରୀ ସମୀର ଦାଶଙ୍କ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀଙ୍କ ବିଜୟ ମନ୍ତ୍ରୀଙ୍କ ସମେତ ଦଳପାଇଁ ଏକ ବଡ ଝଟକା ସଦୃଶ ହୋଇଛି ।
ବିଜେପି ପ୍ରାର୍ଥୀ ୧୧ ହଜାର ୨୪୦ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀ ପାଇଛନ୍ତି ୧୧ ହଜାର ୬୪ଟି ଭୋଟ। ଝାରସୁଗୁଡ଼ା ଉପ ନିର୍ବାଚନ ପୂର୍ବରୁ ବିଜେଡ଼ିଗଡରେ ବିଜେପି ପ୍ରାର୍ଥୀଙ୍କ ବିଜୟ ବିଜେପିକୁ ଉତ୍ସାହିତ କରିଛି । ଶାସକ ଦଳର ଦୁର୍ନୀତି ଓ ଗୁଣ୍ଡାରାଜ ବିରୋଧରେ ଲୋକ ଅତିଷ୍ଠ ହୋଇ ଏପରି ଜବାବ ଦେଇଥିବା ବିଜେପି ପକ୍ଷରୁ କୁହାଯାଉଛି।
ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀ ସମୀର ଦାଶଙ୍କ ସଂପୃକ୍ତି ଥିବା ଅଭିଯୋଗ ନେଇ ବିଜେପି ଆନ୍ଦୋଳନ କରିଥିଲା ଓ
ମନ୍ତ୍ରୀ ସମୀର ଦାଶଙ୍କ ଇସ୍ତଫା ଦାବି କରିଥିଲା ।
ସୂଚନାଯୋଗ୍ୟ ଯେ, ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପୂର୍ବରୁ ଏକ ଅଡିଓ ରେକର୍ଡରେ ମନ୍ତ୍ରୀ ସମୀର ଦାଶଙ୍କୁ ତାଙ୍କ ମୃତ୍ୟୁ ପାଇଁ ଦାୟୀ କରିବା ସହ ତାଙ୍କ ପତ୍ନୀଙ୍କୁ ବ୍ଲାକମେଲ କରାଯାଉଥିବା ଅଭିଯୋଗ କରିଥିଲେ ।