ନିର୍ବରଯୋଗ୍ୟ ସୂତ୍ରରୁ ସୂଚନା ପାଇ ଗତକାଲି ଭିଜିଲାନ୍ସର ୬ଟି ଦଳ କେନ୍ଦ୍ରାପଡ଼ା କଟକ ଓ ବାଲେଶ୍ଵରର ବିଭିନ୍ନ ୬ଟି ଜାଗାରେ ଏକାସାଙ୍ଗରେ ଚଢ଼ାଉକରି ଜଳେଶ୍ଵର ବିଡ଼ିଓ ଅଶ୍ଵିନୀ କୁମାର ଦାସଙ୍କର ଆୟବର୍ହିଭୂତ ୫ କୋଟି ଟଙ୍କାର ସମ୍ପତ୍ତି ଥିବା ଠାବ କରିଛନ୍ତି। ୨୦୧୫ରେ ଓଡ଼ିଶା ରାଜସ୍ବ ସେବା ଓ ୨୦୨୦ରେ ଓଡ଼ିଶା ପ୍ରଶାସନିକ ସେବା ପଦବୀକୁ ପଦୋନ୍ନତି ପାଇଥିବା ଶ୍ରୀ ଦାଶ କନିଷ୍ଠ ସହକାରୀ (ଜୁନିଅର ଆସିଷ୍ଟାଣ୍ଟ) ଭାବେ ଚାକିରି ଆରମ୍ଭ କରିଥିବା ବେଳେ ସେ କିପରି ଏତେ ବିପୁଳ ପରିମାଣର ସମ୍ପତ୍ତି ଠୁଳ କରିପାରିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି !
ଚଢାଉ ବେଳେ ଶ୍ରୀ ଦାସଙ୍କର କଟକ ଓ କେନ୍ଦ୍ରାପଡ଼ାରେ ୨୪ଟି ମୂଲ୍ୟବାନ ପ୍ଲଟ, ଗୋଟିଏ ତିନିମହଲା ଓ ଅନ୍ୟଏକ ଦୁଇମହଲା କୋଠାଘର, ଇଟାଭାଟି, ୭୩ ଲକ୍ଷ ୯୧ ହଜାର ଟଙ୍କାର ବ୍ୟାଙ୍କ ଓ ବୀମା ଜମା, ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା ୪୨ ଲକ୍ଷ ୫୭ ହଜାର ଟଙ୍କାର ସୁନା ଓ ରୂପା ଗହଣା, ୪ଟି ଚାରିଚକିଆ ଯାନ ଏବଂ ବହୁ ମୂଲ୍ୟବାନ ଗୃହୋପକରଣ ଠାବ କରିଛି ଭିଜିଲାନ୍ସ।