ସାତପଉଟିଆ ସ୍ଥିତ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଦ୍ୟାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ‘ନିଶାମୁକ୍ତ ଓଡିଶା ଅଭିଯାନ’ର ଶୁଭାରମ୍ଭ କରିଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ନିଶା ଏକ ବ୍ୟାଧି; ଏହା ସବୁ ସମାଜ ଏବଂ ସବୁ ସମୟ ପାଇଁ ସତ୍ୟ – ନିଶା ସେବନରୁ ଲୋକମାନଙ୍କୁ ମୁକ୍ତ କରିବାକୁ ହେଲେ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ହେବ ବୋଲି ଆହ୍ୱାନ ଦେଇ ଶ୍ରୀମତୀ ମୁର୍ମୁ କହିଲେ କି ନିଶା ସେବନର ଅପକାରିତା ବିଷୟ ସମସ୍ତେ ଜାଣି ସୁଦ୍ଧା ଲୋକେ ନିଶାସକ୍ତ ହେଉଛନ୍ତି। ସାମାଜିକ, ଶାରୀରିକ, ଆର୍ଥିକ ଦୃଷ୍ଟିରୁ ନିଶାପାନ ଏକ ଅଭିଶାପ, ଅନେକ ଲୋକ ନିଶାସକ୍ତ ଅବସ୍ଥାରେ ଅସାମାଜିକ, ଏପରିକି ସମାଜ ବିରୋଧୀ କାର୍ଯ୍ୟ କରିଥାଆନ୍ତି ବୋଲି ରାଷ୍ଟ୍ରପତି କହିଥିଲେ। ନିଶାସେବନ ଯୋଗୁଁ ଘର ଭିତରେ ଅଶାନ୍ତି, ସହି ପଡ଼ିଶାରେ ଗଣ୍ଡଗୋଳ ଓ ମାଡ଼ପିଟ ହୋଇଥାଏ, ଶରୀର ଉପରେ ନିଶାର ପ୍ରଚଣ୍ଡ କୁପ୍ରଭାବ ପଡିଥାଏ – ପ୍ରଥମେ ଲୋକଟି ନିଶା ଖାଏ ସତ, କିନ୍ତୁ କିଛି ଦିନ ପରେ ନିଶା ତାକୁ ଖାଏ ବୋଲି ସେ କହିଥିଲେ।