ଗତକାଲି ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପିର ପ୍ରଦୀପ ପୁରୋହିତ ପ୍ରାର୍ଥୀପତ୍ର ଦାଖଲ କରିବାକୁ ନିଜ ସମର୍ଥକଙ୍କ ସହ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ଯାଳୟକୁ ଆସିଥିଲେ, ସାଙ୍ଗରେ ଥିଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ମାତ୍ର ସେଠାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସହାୟତା ରାଶି ପ୍ରଦାନ କରାଯିବା ନିମନ୍ତେ ଧାରଣାରେ ବସିଥିବା କୃଷକମାନେ ଶ୍ରୀ ପୁରୋହିତଙ୍କୁ ପ୍ରାର୍ଥୀପତ୍ର ଦାଖଲ ନକରିବାକୁ ଅନୁରୋଧ କରିଥିଲେ, କୃଷକମାନଙ୍କ ଦାବି ପୁରଣ ନହେବା ପର୍ଯ୍ୟନ୍ତ କୌଣସି ବି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ ନକରିବାକୁ ଆନ୍ଦୋଳନକାରୀ କୃଷକମାନେ ସବୁ ରାଜନୈତିକ ଦଳର ପ୍ରାର୍ଥୀମାନଙ୍କୁ ଅନୁରୋଧ କରିଛନ୍ତି। ନଭେମ୍ବର ୧୭ ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ହୋଇଥିବା ବେଳେ ଶ୍ରୀ ପୁରୋହିତ କହିଛନ୍ତି ଯେ କୃଷକମାନଙ୍କ ଦାବିପ୍ରତି ତାଙ୍କର ସମର୍ଥନ ରହିଛି, ମାତ୍ର ଯଦି ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ କରନ୍ତି – ତେବେ ସେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିବେ !