ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ବାଚସ୍ପତି ବିକ୍ରମ କେଶରୀ ଆରୁଖ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ପ୍ରତିବାଦ ସ୍ଵରୂପ ବିଧାନସଭା କକ୍ଷତ୍ଯାଗ କରିଛନ୍ତି। ଆଜି ପ୍ରଶ୍ନକାଳରେ ବିଧାୟକ ପାଣ୍ଠି ଖର୍ଚ୍ଚ ପ୍ରସଙ୍ଗରେ ଆଲୋଚନା ହେଉଥିବା ବେଳେ ତାଙ୍କୁ କହିବା ପାଇଁ ବାଚସ୍ପତି ସୁଯୋଗ ଦେଇନଥିଲେ, ଏଥିରେ ଅସନ୍ତୋଷ ବ୍ଯକ୍ତକରି ଶ୍ରୀ ପାଣିଗ୍ରାହୀ କହିଲେ ଯେ ଜଣେ ବିଧାୟକଙ୍କୁ ନିଜ ବକ୍ତବ୍ୟ ରଖିବାର ଅଧିକାରରୁ ବଞ୍ଚିତ କରି ବାଚସ୍ପତି ତାଙ୍କସହ ପକ୍ଷପାତିତା କରିଛନ୍ତି, ଏହା ଫଳରେ ଗୃହର ମର୍ଯ୍ୟାଦା ହାନି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କରି ଗୋପାଳପୁର ବିଧାୟକ କହିଛନ୍ତି ଯେ ତାଙ୍କ ବିଧାୟକ ପାଣ୍ଠିକୁ ଖର୍ଚ୍ଚ କରାଇ ନ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି, ଉଦ୍ଦେଶ୍ୟମୂଳକ ଭାବେ ଗୋପାଳପୁରର ଉନ୍ନତିମୂଳକ କାର୍ଯ୍ୟକ୍ରମ କରାଇ ଦିଆଯାଉ ନାହିଁ ବୋଲି ସେ କହିଛନ୍ତି।